ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗଠାରେ ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡ୍କୋକୁ ୧୬୦ ଏକର ଜମି ହସ୍ତାନ୍ତର କରିଛନ୍ତି। ଏଠାରେ ୧୫ ଶହ କୋଟିରୁ ଅଧିକ ଟଙ୍କାରେ ୩ଟି ଶିଳ୍ପ ପ୍ରତିଷ୍ଠା କରାଯିବ। ସେଥିମଧ୍ୟରୁ ଇଡ଼୍କୋ ପ୍ରଥମ ପର୍ଯ୍ୟାୟରେ ଇଥାନଲ୍ ପ୍ଲାଣ୍ଟ ନିର୍ମାଣ ପାଇଁ ୩୮ ଏକର ଜମି ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଥିବା ସୂଚନା ପାଇ ଏହା ବିରୋଧରେ ଭୂମିହୀନ ସଂଘର୍ଷ ସମିତି ପକ୍ଷରୁ ଶିଳାନ୍ୟାସ ସ୍ଥଳରେ ଧାରଣା ଦିଆଯାଇଛି। ତଳଜାରିଙ୍ଗରେ ଥିବା ଶତାଧିକ ଏକର ଜମିରେ ୨ଟି ପଞ୍ଚାୟତର ଲୋକେ ଖଜଣା ପାଉତି ବାନ୍ଧି ପତରା ଜମିରେ ଚାଷ କରି ଆସୁଥିଲେ। ହେଲେ ଇଡ୍କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ଇଣ୍ଡିଏନ ପଟାସ ଲିମିଟେଡକୁ ଜାଗା ହସ୍ତାନ୍ତର କରାଯାଇଥିବା ସଂଘର୍ଷ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ତଦାରଖ କରିବା ପାଇଁ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ପହଞ୍ଚିଥିଲେ। ହେଲେ ଲୋକେ ତାଙ୍କ ଜମି ଫେରାଇବାକୁ ଦାବି କରି ପ୍ରଶ୍ନବାଣରେ ଘାଇଲା କରିଥିଲେ। ଫଳରେ ସେ ହଟହଟା ହୋଇ ଚାଲି ଯାଇଥିଲେ। ୩ ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ ପରେ ଧର୍ମଗଡ଼ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଜମିହୀନମାନଙ୍କୁ ଜମି ପ୍ରଦାନ ଓ କମ୍ପାନିରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରି ଥିଲେ। ୧୦ ଦିନ ମଧ୍ୟରେ ଜମି ଚିହ୍ନଟ କରି ଅନ୍ୟତ୍ର ଭୂମିହୀନଙ୍କୁ ପ୍ରଦାନ କରା ନଗଲେ ଆନ୍ଦୋଳନକୁ ଓହ୍ଲାଇକୁ ଚେତାବନୀ ଦେଇଛନ୍ତି।
ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ପଟାସ ଲିମିଟେଡ ଓ ସାଓ ବ୍ରିୱେରିଜ ଏଣ୍ଡ ଡିଷ୍ଟିଲେରିଜ ଲିମିଟେଡ ଇଥାନଲ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଇଥାନଲ ପ୍ରକଳ୍ପ ୨୦୦ କେଏଲପିଡି କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନି ବ୍ୟୟ ଅଟକଳ କରିଛି।
ଶିଳାନ୍ୟାସ ପୂର୍ବରୁ ଏହି ଇଡକୋ ଜମି ବିବାଦୀୟ ହେବା ଘଟଣା ତଳଜାରିଙ୍ଗ ପଞ୍ଚାୟତରେ ଆଲୋଡନ ସୃଷ୍ଟି କରିଛି। ଏହି ଜାଗାରେ ୭୭ ଜଣ ଚାଷ କରି ଆସୁଥିଲେ। ଖାତା ନମ୍ବର ୨୨୭/୧୭୨ରେ ୧୬୦ ଏକର ୫୬ ଡିସିମିଲରେ ତଳଜାରିଙ୍ଗ ମୈାଜାରେ ସେମାନେ ଜୁନାଗଡ଼ ତହସିଲଦାରଙ୍କ ଆଦେଶକ୍ରମେ ଜବରଦଖଲ ଖଜଣା ମଧ୍ୟ ବାନ୍ଧୁଥିଲେ। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ଇଡକୋ ପକ୍ଷରୁ ଅଧିଗ୍ରହଣ କରାଯାଇ ଉଚ୍ଛେଦ କରାଯିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆରମ୍ଭରୁ ବିବାଦୀୟ ହୋଇପଡ଼ିଥିବା ଏହି ଜାଗା ନିମନ୍ତେ ପ୍ରଶାସନ ପକ୍ଷରୁ ଆଗକୁ କ'ଣ ପଦକ୍ଷେପ ନିଆଯାଉଛି ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।