ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଅଭିଯୋଗକାରୀ
ଥାନାରେ ଦୁଇ ପକ୍ଷର ଏତଲା, ପୁଲିସର ତଦନ୍ତ
କାର୍ଯ୍ୟାନୁଷ୍ଠାନ ଦାବି କଲା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ

Advertisment

ଭୁବନେଶ୍ୱର : ଚିଟ୍‌ଫଣ୍ଡ କମ୍ପାନି ଦ୍ବାରା ଠକାମିର ଶିକାର ହୋଇଥିବା ଜମାକାରୀମାନେ କେମିତି ଟଙ୍କା ଫେରସ୍ତ ପାଇବେ? ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ଏ ପ୍ରଶ୍ନ ପଚାରିବା ଲାଗି ତାଙ୍କ ସରକାରୀ ବାସଭବନକୁ ଯାଇଥିବା ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧିଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଶ୍ରୀମତୀ ସୁବୁଦ୍ଧି ଗତ ୩୦ ତାରିଖରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶୀମତୀ ସୁବୁଦ୍ଧି ସେଦିନର ଅନୁଭୂତି ବର୍ଣ୍ଣନା କରିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବିଧାୟକ ଶ୍ରୀ ସେଠୀ କିଭଳି ତାଙ୍କୁ ଅପମାନିତ କରିବା ସହ ଅଶାଳୀନ ବ୍ୟବହାର କରିଥିଲେ, ଗଣମାଧ୍ୟମକୁ କହିବା ବେଳେ ଶ୍ରୀମତୀ ସୁବୁଦ୍ଧି କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ। ବିଧାୟକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ, ଶ୍ରୀମତୀ ସୁବୁଦ୍ଧି ବିଧାୟକଙ୍କୁ ଫୋନ୍ କରି ତାଙ୍କଠାରୁ ସମୟ ମାଗିବା ସହ ଗତ ୩୦ ତାରିଖ ମଧ୍ୟାହ୍ନରେ ତାଙ୍କ ବାସଭବନକୁ ଯାଇଥିଲେ। ଜମାକାରୀଙ୍କ ସମସ୍ୟା ସମାଧାନ ହୋଇଯାଇଛି, ରାଜ୍ୟ ସରକାର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଏକ ଟିଭି ଚ୍ୟାନେଲରେ ବିଧାୟକ ଶ୍ରୀ ସେଠୀ କାହିଁକି ମନ୍ତବ୍ୟ ଦେଲେ ବୋଲି ଶ୍ରୀମତୀ ସୁବୁଦ୍ଧି ତାଙ୍କୁ ପ୍ରଶ୍ନ କରିଥିଲେ। ଆପଣଙ୍କ ଅଞ୍ଚଳରେ କେତେ ଜମାକାରୀ ଅଛନ୍ତି, ସେମାନେ କେମିତି ଟଙ୍କା ପାଇବେ ବୋଲି ପଚାରିଥିଲେ? ଏଥିରେ ବିଧାୟକ ଶ୍ରୀ ସେଠୀ ଉତ୍‌କ୍ଷିପ୍ତ ହୋଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ତୁ କିଏ, ଆପଣଙ୍କୁ କାହିଁକି ଉତ୍ତର ଦେବୁ ବୋଲି କହିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲେ। ଶାସକ ଦଳର ବିଧାୟକଙ୍କ ଏଭଳି ବ୍ୟବହାର ତାଙ୍କର ସମ୍ମାନହାନି କରିବା ସହ ଆତ୍ମସମ୍ମାନ ପ୍ରତି ଶକ୍ତ ଧକ୍କା ଦେଇଛି ବୋଲି ଶ୍ରୀମତୀ ସୁବୁଦ୍ଧି ଆଜି ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କହିଛନ୍ତି। ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଗଣମାଧ୍ୟମକୁ ଚିଟ୍‌ଫଣ୍ଡ ବାବଦରେ କୌଣସି ମତ ଦେଇନି। ସମ୍ପୃକ୍ତ ମହିଳା ଜବରଦସ୍ତ କହିଲେ, ହଁ ଆପଣ ଦେଇଛନ୍ତି। ଆପଣଙ୍କ ପାଖରୁ ଏଭଳି ଆଶା କରାଯାଏ ନାହିଁ। ମୁଁ କାହାକୁ ମନ୍ତବ୍ୟ ଦେବି ନ ଦେବି, ଆପଣଙ୍କୁ କ’ଣ ପଚାରିକି ଦେବି। ମୁଁ ଏ ବିଷୟରେ କିଛି ଆଲୋଚନା କରିବାକୁ ଚାହେ ନାହିଁ ବୋଲି ଭେଟିବାକୁ ଆସିଥିବା ମଞ୍ଚର କର୍ମକର୍ତ୍ତାଙ୍କୁ କହିଥିଲି। ଏ ସମ୍ପର୍କରେ ଖାରବେଳନଗର ଥାନାର ଜଣେ ଅଧିକାରୀ କହିଛନ୍ତି, ଗତ ୩୦ ତାରିଖ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ବିଧାୟକଙ୍କ କ୍ବାର୍ଟର୍ସର କେୟାରଟେକର୍‌ ପ୍ରଥମେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଶ୍ରୀମତୀ ସୁବୁଦ୍ଧି ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୁଇଜଣଙ୍କର ଅଭିଯୋଗକୁ ଷ୍ଟେସନ୍‌ ଡାଏରି କରାଯାଇଛି। ଘଟଣାର ଅନୁସନ୍ଧାନ କରାଯାଉଛି।