ପୁଲିସ୍‌ ଗେହ୍ଲାପୁଅ, ସୈନିକ ସାବତପୁଅ

ପ୍ରତିରକ୍ଷା କ୍ୟାଣ୍ଟିନ୍‌ରେ ପାତରଅନ୍ତର ଅଭିଯୋଗ, ଡିଜି ଓ ଏସ୍‌ପିଙ୍କୁ ଟୁଇଟ୍‌ କଲେ ପୂର୍ବତନ ସେନା ଅଧିକାରୀ

ବାଲେଶ୍ବର: ପ୍ରତିରକ୍ଷା ବିଭାଗରେ ଥିବା କ୍ୟାଣ୍ଟିନ୍‌ରୁ ବିଭିନ୍ନ ଜିନିଷ ଆଣିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ତାହା ସମସ୍ତଙ୍କ ଭାଗ୍ୟରେ ଜୁଟେନାହିଁ। ଏହାର କାରଣ ହେଉଛି କେବଳ ପ୍ରତିରକ୍ଷା ବିଭାଗର ଚାକିରି କରୁଥିବା କିମ୍ବା ଏଠାରୁ ଅବସର ନେଇଥିବା କର୍ମଚାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଥାଏ। କ୍ୟାଣ୍ଟିନରେ ଉପଲବ୍ଧ ଥିବା ଖାଦ୍ୟପାନୀୟ, ବିଦ୍ୟୁତ ଉପକରଣ, ପ୍ରସାଧନ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରଗୁଡ଼ିକୁ କେବଳ କମ୍ପାନିର ତିଆରି ଏବଂ ପରିବହନ ମୂଲ୍ୟ ଦେଇ ଅତି ଶସ୍ତାରେ ସେମାନେ ପାଇପାରିଥାନ୍ତି। କିନ୍ତୁ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଠାରେ ଥିବା‌ ପ୍ରତିରକ୍ଷା ବିଭାଗର କ୍ୟାଣ୍ଟିନ୍‌ରେ କର୍ତ୍ତୃପକ୍ଷଙ୍କ ଅବହେଳା କିମ୍ବା ମନମାନି ଯୋଗୁଁ ଏଥିରେ ବ୍ୟତିକ୍ରମ ଘଟିଥିବା ଅଭିଯୋଗ ହୋଇଛି।

ବାଲେଶ୍ବର ପୂର୍ବତନ ସୈନିକ ଅଧିକାର ମଞ୍ଚର ଆବାହକ ତଥା ଅବସରପ୍ରାପ୍ତ ସେନା ଅଧିକାରୀ ମହେଶ୍ବର ବେହେରାଙ୍କ ଅଭିଯୋଗ ଅନୁଯାୟୀ ଚାନ୍ଦିପୁର ସ୍ଥିତ ଡିଆରଡିଓ ପରିସରରେ ଥିବା କ୍ୟାଣ୍ଟିନ୍‌ଗୁଡ଼ିକରେ ପୂର୍ବତନ ସୈନିକ ଓ ‌ସେମାନଙ୍କ ପରିବାରଲୋକଙ୍କୁ ଅଣଦେଖା କରାଯିବା ସହ ଜିନିଷପତ୍ର ପାଇବାରୁ ବଞ୍ଚିତ କରାଯାଉଛି। ଦୂରଦୂରାନ୍ତରୁ ଅନେକ ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାର ଲୋକ ଆସି ଜିନିଷପତ୍ର ନପାଇ ନିରାଶ ହୋଇ ଫେରୁଥିବା ବେଳେ ଏ ସମ୍ପର୍କରେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଯାଉଥିଲେ ହେଁ କିଛି ସୁଫଳ ମିଳୁନାହିଁ।

ଏହାର ଉଦାହରଣ ସ୍ବରୂପ ଗତ ସୋମବାର ସକାଳେ ବାଲେଶ୍ବର ସହରରେ ରହୁଥିବା ଅବସରପ୍ରାପ୍ତ ସୈନିକ ଦୁର୍ଗାପଦ ଭୂୟାଁ ଚାନ୍ଦିପୁର ଡିଆରଡିଓ ପରିସରରେ ଥିବା ସିଏସ୍‌ଡି କ୍ୟାଣ୍ଟିନ୍‌କୁ କିଛି ଘରୋଇ ସାମଗ୍ରୀ ଆଣିବାକୁ ଯାଇଥିଲେ। ତେବେ ଅଧିକ ଗହଳିଥିବାରୁ ସେ ସକାଳୁ ଧାଡ଼ିରେ ଠିଆ ହୋଇଥିବା ସମୟରେ ଜଣେ ପୁଲିସ ଅଧିକାରୀଙ୍କ ସମୟ ୩ ଜଣ ପୁଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଏହାପରେ କ୍ୟାଣ୍ଟିନ୍‌ କର୍ମଚାରୀମାନେ ସେମାନଙ୍କୁ ଖୁଲମଖୁଲା ଭିତରକୁ ପ୍ରବେଶ କରାଇବା ସହ ସେମାନଙ୍କ ମନପସନ୍ଦର ସାମଗ୍ରୀ ଯୋଗାଇ ଦେଇଥିବା ସେ ଦେଖିବାକୁ ପାଇଥିଲେ।

ପ୍ରତିରକ୍ଷା ବିଭାଗ କ୍ୟାଣ୍ଟିନ୍‌ରେ ବିଭାଗୀୟ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ଏହି ସୁବିଧା ଉପଲବ୍ଧ ନଥିବା ବେଳେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ କାହିଁକି ସୁବିଧା ଯୋଗାଇ ଦିଆଗଲା ଏବଂ ଏପରି କରିବା ବେଆଇନ୍‌ ବୋଲି ଜାଣି ମଧ୍ୟ ପୁଲିସମାନେ ଏହା କିପରି କରିପାରିଲେ? ପୁଲିସ ବିଭାଗରେ ସ୍ବତନ୍ତ୍ର କ୍ୟାଣ୍ଟିନ୍‌ ସୁବିଧା ରହିଥିବା ବେଳେ ସେ ପ୍ରତିରକ୍ଷା ବିଭାଗ କ୍ୟାଣ୍ଟିନ୍‌କୁ କାହିଁକି ଆସୁଛନ୍ତି? ତତ୍‌ସହିତ ସେମାନେ ଯେମିତି ଗେହ୍ଲାପୁଅ ଆଉ ପୂର୍ବତନ ସୈନିକ ସାବତ ପୁଅ ଭଳି ବ୍ୟବହାର କାହିଁକି କରାଯାଉଛି ବୋଲି ଶ୍ରୀ ଭୂୟାଁ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ସେଦିନ କ୍ୟାଣ୍ଟିନ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିବା ସହ ପୂର୍ବତନ ସୈନିକ ଅଧିକାର ମଞ୍ଚ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ।

ମଞ୍ଚ ପକ୍ଷରୁ ଶ୍ରୀ ବେହେରା ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ପୁଲିସ କର୍ମଚାରୀମାନଙ୍କ ବିରୋଧରେ ଜିଲ୍ଲା ପୁଲିସ ଅଧୀକ୍ଷକ ଓ ପୁଲିସ ଡିଜିଙ୍କୁ ଟୁଇଟ୍‌ ‌ଜରିଆରେ ଅଭିଯୋଗ କରି ଏହା ଉପରେ ବିଧିବଦ୍ଧ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର