ଜୟପୁର: ଜୟପୁର ଚାମ୍ବର ଅଫ କମର୍ସର ଏହାରି ମଧ୍ୟରେ ୨୧ଜଣ ନି‌ର୍ଦ୍ଦେଶକ ପଦବୀ ନିର୍ବାଚନ ସରିବା ସହ ଗତ କାଲି ଅନ୍ୟାନ୍ୟ କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଛି। ଏହି କର୍ମକର୍ତ୍ତା ମନୋୟନରେ ସଭାପତି ଓ ଅନ୍ୟ ପଦ ପଦବୀରେ ଅନିମିୟତତା କରାଯିବା ସହ ଯୁବବର୍ଗଙ୍କୁ ଯେଭଳି ପ୍ରଧାନ୍ୟ ଦେବା କଥା ଦିଆଯାଇନଥିବା ଅଭିଯୋଗ କରି ନିର୍ଦ୍ଦେଶକ କିଶୋର କୁମାର ଚୌଧୁରୀ ତାଙ୍କ ପଦବୀରୁ  ଇସ୍ତଫା ପତ୍ର ଦେଇଛନ୍ତି। ଗତ କିଛି ବର୍ଷ ହେବ ଚାମ୍ବର ଅଫ କମର୍ସର ବିଭିନ୍ନ ପଦ ଓ ପଦବୀରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେବା ବଦଳରେ ପୂର୍ବ ପ୍ରଚଳିତ ଧାରା ଅନୁଯାୟୀ‌ ସେହି ପୁରୁଣା କର୍ମକର୍ତ୍ତା ମାନେ ହିଁ ରହି ଆସୁଛନ୍ତି ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଯୁବ ନିର୍ଦ୍ଦେଶକଙ୍କୁ କର୍ମକର୍ତ୍ତା ମନୋନୟନ କରି ନଥିବା ଘଟଣାକୁ ବହୁ ନ‌ିର୍ଦ୍ଦେଶକ ପ୍ରଶ୍ନ କରିଛନ୍ତି।

Advertisment

୨୧ଜଣ ନିର୍ଦ୍ଦେଶକ ଚୟନ ପରେ ଗତ କାଲି ଏମାନଙ୍କ ମଧ୍ୟରେ ପୂର୍ବରୁ ସଂପାଦକ ରହି ଆସିଥିବା ଭି.ପ୍ରଭାକରଙ୍କୁ ସଭାପତି, ଉପସଭାପତି ଭାବେ ନରେନ୍ଦ୍ର ବେହେରା, ଏ.ଶ୍ରୀନିବାସ ରାଓ, ସାଧାରଣ ସଂପାଦକ ଭାବେ ଡି.ମାଧବ, ଯୁଗ୍ମ ସଂପାଦକ ଭାବେ ଲୋକନାଥ ପାତ୍ର, ଶ୍ରବଣ କୁମାର ଢ଼ାକା ଏବଂ କୋଷାଧ୍ୟକ୍ଷ ଭାବେ ମାଙ୍ଗିଲାଲ ଶାହା ମନୋନୀତ ହୋଇଥିବା ସୂଚନା ମିଳିଛି। ତେବେ ଏହି କର୍ମକର୍ତ୍ତାଙ୍କ ମଧ୍ୟରେ ନିର୍ବାଚିତ ଯୁବନିର୍ଦ୍ଦେଶକ ଜଣେ ବି ସାମିଲ କରାନଯାଇ ବର୍ଷ ବର୍ଷ ଧରି ବିଭିନ୍ନ ପଦପଦବୀରେ ରହି ଆସିଥିବା ନିର୍ଦ୍ଦେଶକଙ୍କୁ ରଖାଯିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଯୁବ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଯୁବନିର୍ଦ୍ଦେଶକଙ୍କୁ ସାମିଲ କରାନଯିବା ପ୍ରତିବାଦ କରି ହିଁ ‌ଶ୍ରୀ ଚୌଧୁରୀ ଇସ୍ତଫା ଦେଇଥିବା କହିଛନ୍ତି। ଏଭଳି ଇସ୍ତଫା କିଛି ସେ ପାଇ ନାହାନ୍ତି ବୋଲି କହିଛନ୍ତି ନବନିର୍ବାଚିତ ସଭାପତି ଭି.ପ୍ରଭାକର।