କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘରେ ବ୍ୟାପକ ଅନିୟମିତତା ଚାଲିଛି ବୋଲି ଗୁରୁବାର ଦିନ କିଛି ସଦସ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ କାର୍ଯ୍ୟକାଳ ସରିବା ପରେ ମଧ୍ୟ କର୍ମକର୍ତ୍ତାମାନେ ଉପଦେଷ୍ଟା ମଣ୍ଡଳିକୁ ଦାୟିତ୍ବ ହସ୍ତାନ୍ତର କରୁ ନାହାନ୍ତି । ତେଣୁ ଆସନ୍ତା ୨୬ ତାରିଖରୁ ଟ୍ରକ ମାଲିକ ସଂଘର ସଦସ୍ୟମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଉ ଏହି ଆନ୍ଦୋଳନ ସେ ପର୍ଯ୍ୟନ୍ତ ଚାଲିବ ଯେତେ ପର୍ଯ୍ୟନ୍ତ ଉପଦେଷ୍ଟା ମଣ୍ଡଳିକୁ ସଂଘର ଦାୟିତ୍ବ ହସ୍ତାନ୍ତର ନହୋଇଛି ।
ସଂଘ ପକ୍ଷରୁ ଆସନ୍ତା ନଭେମ୍ବର ମାସ ୨୦ କିମ୍ବା ୨୭ ତାରିଖରେ ନିର୍ବାଚନ ଆୟୋଜନ କରିବା ପାଇଁ ପ୍ରଶାସନକୁ ସଂଘ ଲିଖିତ ଭାବେ ଜଣାଇଥିଲା । ହେଲେ ସଂଘ ଆଜି ପର୍ଯ୍ୟନ୍ତ ନିର୍ବାଚନ ଆୟୋଜନ କରୁଥିବା ଉପଦେଷ୍ଟ ମଣ୍ଡଳିକୁ ଦାୟିତ୍ବ ହସ୍ତାନ୍ତର କଲା ନାହିଁ କି ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ କଲା ନାହି ବୋଲି ଅଭିଯୋଗ କରିଛନ୍ତି । ଆସନ୍ତା ମାସରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଯାହାକି ଅଗଣତାନ୍ତ୍ରିକ। ଏ ସବୁ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଦୃଢ ପଦକ୍ଷେପ ନେଉ ନଥିବା ଆମ୍ଭମାନଙ୍କୁ ହତୋତ୍ସାହିତ କରିଛି । ତେଣୁ ନ୍ୟାୟ ପାଇବା ପାଇଁ ଆସନ୍ତା ୨୬ ତାରିଖରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଆଜି ସଂଘର ସଦସ୍ୟ ପ୍ରଦୀପ କୁମାର ବାରିକ, ନିତିଷ କୁମାର ପଟ୍ଟନାୟକ, ରୁଦ୍ରନାରାୟଣ ମିଶ୍ର, ପଦ୍ମଲୋଚନ ସାହୁ, ମାନସ ରଂଜନ ସାହୁ, ଭବାନୀ ପ୍ରସାଦ ସାହୁ, ରବୀନ୍ଦ୍ର ମିଶ୍ର, ପ୍ରଦୀପ କୁମାର ସାହୁ, ରାମଚନ୍ଦ୍ର ରାଉତଙ୍କ ସମେତ ବହୁ ଟ୍ରକମାଲିକ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।