ରାଇରଙ୍ଗପୁର: ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିରେ ଅନିୟମିତା ନେଇ ଜାମବଣୀ ଗ୍ରାମର ମହିଳା ଉପଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ଜାମବଣୀ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ପଦ ଖାଲି ପଡ଼ିଥିଲା। ୨ ନଭେମ୍ବରରେ ନିଯୁକ୍ତି ପାଇଁ ନୋଟିସ୍ ହୋଇଥିବା ବେଳେ ସହାୟିକା ମଧ୍ୟ ଚୟନ କରାଗଲା। ତେବେ ସେଥିରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାଇରଙ୍ଗପୁର ସିଡିପିଓ ୨ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ। ନୋଟିସ ଅନୁଯାୟୀ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥିଲେ। ତେବେ ସର୍ବସମ୍ମୁଖରେ ଚୟନ କରାଯିବା ପରିବର୍ତ୍ତେ ୫୦ ପ୍ରତିଶତ ମହିଳାଙ୍କୁ ନେଇ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ କବାଟ ବନ୍ଦ କରି ସିଡିପିଓ ନିର୍ଦ୍ଦିଷ୍ଟ ମହିଳାଙ୍କ ନାମ ଘୋଷଣା କରି ବ୍ୟସ୍ତ ଅଛି କହି ପଳାଇଥିଲେ। କୌଣସି ପରୀକ୍ଷା କିମ୍ବା ପ୍ରମାଣପତ୍ର ଯାଞ୍ଚ ନକରି ନିଯୁକ୍ତି ପ୍ରକ୍ରିୟାକୁ ଉପସ୍ଥିତ ମହିଳାମାନେ ପ୍ରତିବାଦ କରିଥିଲେ।
ମହିଳାଙ୍କ ମଧ୍ୟରୁ ୪ ଜଣ ଆଶାୟୀ ଥିଲେ। ଗୁରୁବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ନିକଟରେ ମହିଳାମାନେ ଫେରାଦ ହୋଇ ସହାୟିକା ଚୟନ ପ୍ରକ୍ରିୟା ପୁନର୍ବାର କରାଯାଉ ବୋଲି ଦାବି କରିଛନ୍ତି। ଅଭିଯୋଗ ପାଇ ଉପଜିଲ୍ଲାପାଳ ଆଉ ଥରେ ଚୟନ ପ୍ରକ୍ରିୟା ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଦାବିପତ୍ର ପ୍ରଦାନ ସମୟରେ ୱାର୍ଡମେମ୍ବର ଲକ୍ଷ୍ମୀ ମୁଣ୍ତା, ମଧୁସ୍ମିତା ଗିରି, ରୁକ୍ମିଣୀ ବେହେରା, ରଶ୍ମିରେଖା ଗିରି, ଗୀତାଞଳି ଗିରି, ପୁଷ୍ପଲତା ସେଠୀ, ସାବିତ୍ରୀ ବିନ୍ଧାଣୀ, ସୁନୀତା ବେହେରା, ସସ୍ମିତା ସେଠୀ, ସୁଷମା ସେଠୀ, କୁନୁ ସେଠୀ, ଆଜମା ବିବି, ପଦ୍ମିନୀ ମୁଣ୍ତା, ମୀରା ସେଠୀ, କୁନି ମୁଣ୍ତାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।