ପେଟ୍ରୋଲ୍‌ ଢାଳି ବଧୂ ହତ୍ୟା ଅଭିଯୋଗ

‌ଯୌତୁକ ଏବଂ ପିଲା ଛୁଆ ହେଉ ନଥିବାରୁ ଦେଉଥିଲେ ନିର୍ଯାତନା

ରେଢ଼ାଖୋଲ : ଅଧିକ ଯୌତୁକ ଦାବି ସହିତ ପିଲାଛୁଆ ନ ହେବାରୁ ଶାଶୁଘରେ ବୋହୂକୁ ଦିଆଯାଉଥିଲା ନିର୍ଯାତନା। ଶେଷରେ ଶାଶୁଘର ଲୋକ ମିଶି ପେଟ୍ରୋଲ୍‌ ଢାଳି ବୋହୂକୁ ହତ୍ୟା କଲେ। ଏପରି ଅଭିଯୋଗ ଆଣିଛନ୍ତି ମୃତା ମହିଳାଙ୍କ ବାପା।

ଅଭିଯୋଗ ଅନୁଯାୟୀ ଅନନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଧପୁର ଗ୍ରାମର କୃଷ୍ଣ ବେହେରାଙ୍କ ଝିଅ ରୁନୁ ୨୦୧୭ ମସିହାରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଶିବ ବେହେରାଙ୍କ ପୁଅ ବସନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ପରଠାରୁ ଯୌତୁକ ପାଇଁ ରୁନୁକୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ। ବାପ ଘରୁ ଏକ ବାଇକ୍ ଯୌତୁକ ଆକାରରେ ଆଣିବାକୁ ସ୍ବାମୀଙ୍କ ସମେତ ଶାଶୂ ଓ ନଣନ୍ଦ କହୁଥିଲେ। ଘଟଣା ସଂର୍ପକରେ ରୁନୁ ବାପା କୃଷ୍ଣଙ୍କୁ ସବୁ ଜଣାଇବା ପରେ ସେ ଧାର କରଜ କରି ଏକ ବାଇକ୍‌ ଦେଇଥିଲେ। ବାଇକ୍‌ ପାଇବା ପରେ ଶାଶୂ ଘର ଲୋକଙ୍କ ନିର୍ଯାତନା କମି ନଥିଲା। ରୁନୁଙ୍କ ସନ୍ତାନ ସନ୍ତତି ହେଉ ନଥିବା ଅଭିଯୋଗ କରି ଶାଶୁ ଭୂମି ବେହେରା ଓ ନଣନ୍ଦ ନମିତା ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି କୃଷ୍ଣ ଅଭିଯୋଗ କରିଛନ୍ତି। ଏପରିକି ଘର ଛାଡ଼ି ପଳାଇବାକୁ କହୁଥିଲେ। ନଚେତ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିଲେ। ଗତ ଡିସେମ୍ବର ମାସ ୨୯ ତାରିଖ ସନ୍ଧ୍ୟାରେ ରୁନୁ ରୋଷେଇ କରୁଥିବା ବେଳେ ଶାଶୂ, ନଣନ୍ଦ ଓ ସ୍ବାମୀ ମିଶି ଝିଅ ଦେହରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପ୍ରାଣ ବିକଳରେ ସେ କୂଅକୁ ଡେଇଁ ପଡ଼ିଥିଲା ବୋଲି ରୁନୁଙ୍କ ବାପା କୃଷ୍ଣ ଅଭିଯୋଗରେ ଦର୍ଶାଇଛନ୍ତି। ପାଖ ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବା ବେଳେ ମଧ୍ୟ ଶାଶୂଘର ଲୋକ ତାଙ୍କୁ କିଛି ଜଣାଇ ନଥିଲେ। ତେବେ ଝିଅ ଜଣେ ନର୍ସଙ୍କ ପାଖରୁ ମୋବାଇଲ ମାଗି ଘଟଣା ସଂପର୍କରେ ଜଣାଇଥିଲା ବୋଲି କୃଷ୍ଣ କହିଛନ୍ତି।

ବୁର୍ଲାରେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ ମେଡିକାଲକୁ ନିଆଯାଇଥିଲା। ଜାନୁଆରି ମାସ ୬ ତାରିଖରେ ତାକୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଭଲ ହେବା ପରେ ରୁନୁ ବାପ ଘର ମାଧପୁର ଗ୍ରାମରେ ରହି ଆସୁଥିଲା। ଫେବ୍ରୁଆରି ୬ ତାରିଖ ଦିନ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା। ତାକୁ ପ୍ରଥମେ ଆଠମଲ୍ଲିକ ଓ ପରେ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୁନୁର ମୃତ୍ୟୁ ହୋଇଯାଇଥିଲା। ୭ ତାରିଖ ଦିନ ଅନୁଗୁଳଠାର ଶବ ବ୍ୟବଚ୍ଛେଦ ହୋଇଥିଲା। ଘଟଣାକୁ ନେଇ ମଙ୍ଗଳବାର ରାତିରେ କୃଷ୍ଣ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରହିଛି। ହେଲେ ଘଟଣାରେ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ କହିଛନ୍ତି।

ସମ୍ବନ୍ଧିତ ଖବର