ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଥିପାଇଁ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛି ବିଜେପି। ଉପଖଣ୍ଡରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭି‌ଯୋଗ କରି ସୋମବାର ପୂର୍ବମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ସ୍ଥାନୀୟ ଏସ୍‌ଡିପିଓ ଅଫିସ ଘେରାଉ କରାଯାଇଥିଲା। ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ କର୍ମୀମାନେ ଶୋଭାଯାତ୍ରାରେ ଯାଇ ଏସ୍‌ଡିପିଓ ଅଫିସ ଆଗରେ ପହଞ୍ଚିଥିଲେ। ସେଠାରେ ଉପଖଣ୍ଡରେ ବିଭିନ୍ନ ଅପରାଧରେ ଜଡ଼ିତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ଧାରଣାରେ ବସିଥିଲେ। ପାଟଣାଗଡ଼ ବ୍ଲକ୍‌ରେ କାର୍ଯ୍ୟରତ ଜେଇ ସୁରେଶ ସାହୁ ହତ୍ୟା ମାମଲାର ଅପରାଧୀମାନଙ୍କୁ ପୁଲିସ ଧରିନଥିବା, ଦିବାଲୋକରେ ଗହଣା ଦୋକାନରୁ ସୁନା ଅଳଙ୍କାର ଓ ଟଙ୍କା ଡକାୟତି ଘଟଣାରେ କେବଳ ଟଙ୍କା ଉଦ୍ଧାର ହୋଇଥିବା ବେଳେ ଅନ୍ୟ ସାମଗ୍ରୀ ଓ ଡକାୟତମାନଙ୍କୁ ଧରିବାରେ ବିଫଳ ହୋଇଥିବା, ବିଭିନ୍ନ ସମୟରେ ସହରରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହେଉଥିବା ବେଳେ ଲୁଟେରାକୁ ପୁଲିସ ଧରିପାରୁ ନଥିବା ଅଭିଯୋଗ କରି ପୁଲିସର କାର୍ଯ୍ୟଦକ୍ଷତା ଉପରେ ବିଜେପି ପ୍ରଶ୍ନଉଠାଇଥିଲା।

Advertisment

ଏହି ଘେରାଉ ସମୟରେ ପାଟଣାଗଡ଼, ଲରମ୍ଭା ଥାନାଧିକାରୀଙ୍କ ସହ ପୁଲିସ କର୍ମଚାରୀମାନେ ଉପସ୍ଥିତଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ତହସିଲଦାର ଲକ୍ଷ୍ମଣ ମାଝୀ ଉପସ୍ଥିତଥିଲେ। ଘେରାଉରେ ପୂର୍ବମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କୃଷକମୋର୍ଚ୍ଚାର ଜିଲ୍ଲା ସଭାପତି ମାଧବ ସାଏ, ଓମ୍‌ ପ୍ରକାଶ ଯୋଶୀ, ସମୀର ପାଣିଗ୍ରାହୀ, ନଗର ସଭାପତି ସୁଶାନ୍ତ ମହାନ୍ତି, ସନ୍ତୋଷ ମେହେର, ଶେଖ୍ ଅବଦୁଲ ସିରାଜ, ସୁରୁ ସିଂ ନିନା, ମଣ୍ଟୁ ଯୋଶୀ, ସୁଶାନ୍ତ ଦାସ, କରମ ସିଂ ସରାଫ, ମୁନା ଦରୁଆନ, ନନ୍ଦନ ଠାକୁର, ମୁନା ଠାକୁର, ରାନା ଚିନ୍ଦା, ପ୍ରବୀଣ ଅଗ୍ରୱାଲ, ବାବୁଲା ଦାସ, ବିଶ୍ବଜିତ ହୋତା, ମାଣିକ୍ୟ ସାହୁ ପ୍ରମୁଖଙ୍କ ସହ ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମରୁ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ତହସିଲଦାର ଲକ୍ଷ୍ମଣ ମାଝୀଙ୍କ ସହ ଥାନାଧିକାରୀ ଅନନ୍ତ ପଧାନ ଧାରଣାସ୍ଥଳକୁ ଆସି ଆଲୋଚନା କରିଥିଲେ। ହେଲେ ବିଜେପି ନେତାମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାତିରେ ବିଜେପି କର୍ମୀମାନେ ଏସ୍‌ଡିପିଓ ଅଫିସ ଆଗରେ ସଂକୀର୍ତ୍ତନ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।