ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଲୁଟ୍‌ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଚିକିତ୍ସା ନାଁରେ ଲୁଟ୍‌ ଅଭିଯୋଗ ହୋଇଛି। ରୋଗୀଙ୍କ ପରିବାରଲୋକଙ୍କୁ ‌ଅନ୍ଧାରରେ ରଖି ହସ୍ପିଟାଲ କର୍ତୃପକ୍ଷ ଚିକିତ୍ସା ବିଲ୍‌ ବଢ଼ାଇ ଚାଲିଥିଲେ। ମାତ୍ର ପରବର୍ତୀ ସମୟରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ, କୋରଡ଼କଣ୍ଟା ଅଞ୍ଚଳର ଜଣେ ରୋଗୀ ଛାତରୁ ପଡ଼ିଯିବା ପରେ ତାଙ୍କର ରକ୍ତବାନ୍ତି ହୋଇଥିଲା। ପରେ ତାଙ୍କ ପରିବାରଲୋକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରିଥିଲେ। ମାତ୍ର ସେଠାରେ ସ୍ଥିତିରେ ସୁଧାର ନ ଆସିବାରୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ରୋଗୀ ଆଇସିୟୁରେ ଅଛନ୍ତି ଓ ତାଙ୍କ ସ୍ଥିତି ଭଲ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ମାତ୍ର ସେଠାରେ ପ୍ରାୟ ୧୯ ଦିନ ଚିକିତ୍ସା ଚାଲିବା ପରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସା ବାବଦରେ ପରିବାରଲୋକ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ କରି ସାରିଥିଲେ। ମୃତ୍ୟୁ ପରେ ରୋଗୀଙ୍କ ପରିବାର ଲୋକଙ୍କୁ ମୃତକ ଜଣକ କରୋନା ସଂକ୍ରମିତ ଥିବା କୁହାଯାଇଥିଲା। ଯାହାକୁ ନେଇ ହସ୍ପିଟାଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର