ବୁର୍ଲା/ବରଗଡ଼/ସମ୍ବଲପୁର : ଭିମସାର୍ରେ ଚିକିତ୍ସା ଅବହେଳା ଅଭିଯୋଗରେ ବରଗଡ଼ ଜିଲ୍ଲା ପାଣିମୋରାର ୧୦୨ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଗାଁକୁ ଫେରାଇ ନିଆଯାଇଛି। ବୁଧବାର ପାଣିମୋରାର ଶେଷ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପ୍ରଧାନ ଅସୁସ୍ଥ ଅନୁଭବ କରିବାରୁ ତଥା ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ଗ୍ରାମବାସୀ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ଆଣିଥିଲେ। ସେଠାରେ କାଜୁଆଲ୍ଟିରେ ଭର୍ତ୍ତି ପରେ ତାଙ୍କ ଆଣ୍ଟିଜେନ୍ ପରୀକ୍ଷା କରା ଯାଇଥିଲା। କିନ୍ତୁ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିବାରୁ ନିୟମ ଅନୁଯାୟୀ ପୁଣି ଆର୍ଟିପିସିଆର୍ ପାଇଁ ନମୁନା ପଠା ଯାଇଥିଲା। ଶ୍ବାସକ୍ରିୟାରେ ସମସ୍ୟା ଥିବାରୁ କାଜୁଆଲ୍ଟିରେ ରଖି ତାଙ୍କର ଏକ୍ସ-ରେ ଆଦି ବିଭିନ୍ନ ପରୀକ୍ଷା କରାଯାଉଥିଲା। ତେବେ ରାତି ୧୦ଟା ପର୍ଯ୍ୟନ୍ତ କାଜୁଆଲ୍ଟିରେ ରଖାଯିବା ଓ ଆଣ୍ଟିଜେନ୍ ନେଗେଟିଭ୍ ଆସିବା ପରେ ପୁଣି ଆର୍ଟିପିସିଆର୍ ପରୀକ୍ଷା ପାଇଁ ପଠାଯିବାକୁ ନେଇ ତାଙ୍କ ସହ ଆସିଥିବା ଲୋକେ ବିରକ୍ତି ପ୍ରକାଶ କରିଥିଲେ।
ରାତି ୧୦ଟାରେ ଷ୍ଟିୱାର୍ଡ ଅଫିସର୍ ଅଶ୍ବିନୀ ମେହେର ପହଞ୍ଚି ଶ୍ରୀ ପ୍ରଧାନଙ୍କୁ କୋଭିଡ୍-୨ ହସ୍ପିଟାଲ୍ର ଆସୋଲେସନ୍ ୱାର୍ଡରେ ରଖିବା ବ୍ୟବସ୍ଥା କରିଥିଲେ। କିନ୍ତୁ ସାଥୀରେ ଥିବା ଲୋକେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଏକ ଆମ୍ବୁଲାନ୍ସ ଠିକ୍ କରି ଶ୍ରୀ ପ୍ରଧାନଙ୍କୁ ରାତାରାତି ପାଣିମୋରା ଫେରାଇ ନେଇଥିଲେ। ଡାକ୍ତରଖାନାରେ ଥିବାବେଳେ ଓ ଆମ୍ବୁଲାନ୍ସରେ ତାଙ୍କୁ ଅକ୍ସିଜେନ୍ ଦିଆ ଯାଉଥିଲା। ତେବେ ଗୋଟିଏ ପଟେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅପରପକ୍ଷରେ ତାଙ୍କ ସହ ଆସିଥିବା ଲୋକଙ୍କ ଜିଦ୍ଖୋର ସ୍ବଭାବ ଯୋଗୁଁ ଶ୍ରୀ ପ୍ରଧାନଙ୍କ ସ୍ବାସ୍ଥ୍ୟ ବିପନ୍ନ ହେବା ନେଇ ବୁଦ୍ଧିଜୀବୀ ମାନେ ଆଶଂକା ପ୍ରକାଶ କରିଛନ୍ତି।
ଏ ସଂପର୍କରେ ସୂଚନା ଦେଇ ଭିମସାର୍ ଅଧୀକ୍ଷକ ପ୍ର. ଲାଲ୍ମୋହନ ନାୟକ କହିଛନ୍ତି ଯେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କର ପ୍ରଥମେ ଆଣ୍ଟିଜେନ୍ ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆର୍ଟିପିସିଆର୍ ପରୀକ୍ଷା କରାଯାଇଥିଲା। ଯେହେତୁ ତାଙ୍କର ଶ୍ବାସକ୍ରିୟାରେ ସମସ୍ୟା ଥିଲା ତେଣୁ ଡାକ୍ତରମାନେ କୋଭିଡ୍ ଆଶଂକା କରୁଥିଲେ। ତେବେ କାଜୁଆଲ୍ଟିରେ ବି ତାଙ୍କର ଯଥାବିଧି ଚିକିତ୍ସା ଚାଲିଥିଲା। ତାଙ୍କ ସହ ଆସିଥିବା ଲୋକେ କ୍ୟାବିନ୍ ପାଇଁ କହିଥିଲେ। ତାଙ୍କ ନାଁରେ ମେଡିସିନ୍ ବିଭାଗର ଗୋଟିଏ କ୍ୟାବିନ୍ ବି ଏଲଟ୍ କରାଯାଇଥିଲା। ତେବେ ଗୋଟିଏ ରାତି ଆଇସୋଲେସନ୍ରେ ରହିବା ପରେ ରିପୋର୍ଟ ନେଗେଟିଭ୍ ଆସିବା ମାତ୍ରେ ତାଙ୍କୁ ମେଡିସିନ୍ କ୍ୟାବିନ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। କିନ୍ତୁ ସେମାନେ ନମାନି ତାଙ୍କୁ ଫେରାଇ ନେଇଥିଲେ ବୋଲି ଡା. ନାୟକ କହିଛନ୍ତି। କୋଭିଡ୍ ଆକ୍ରାନ୍ତ ଥିବା କାରଣରୁ ଭିମ୍ସାର୍ ନିର୍ଦ୍ଦେଶକ, ଡିନ୍ ଓ ସେ ନିଜେ ତାଙ୍କ ପାଖକୁ ଯାଇପାରି ନଥିଲେ ବି ଫୋନ୍ରେ ସବୁ ବୁଝାବୁଝି କରୁଥିଲେ ବୋଲି ଡା. ନାୟକ ସୂଚନା ଦେଇଛନ୍ତି।