ଚିକିତ୍ସାରେ ଅବହେଳା ଅଭିଯୋଗ, ନବଜାତକର ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବର: ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ନବଜାତ ଶିଶୁର ମୃତ୍ୟୁକୁୁ ନେଇ ହସ୍ପିଟାଲ ପରିସରରେ ଆଜି ଶିଶୁର ପରିବାର ପକ୍ଷରୁ ଉତ୍ତେଜନା ଦେଖାଯାଇଥିଲା। ବାଲିଆପାଳ ବ୍ଲକ ବଡ଼ସିମୁଳିଆ ଅଞ୍ଚଳର ଦିଲ୍ଲୀପ କୁମାର୍ ବିର ଗତ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ରବିନା ନାୟକଙ୍କୁ ପ୍ରସବ ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପ୍ରସୂତି ବିଭାଗରେ ଭର୍ତ୍ତି କରାଇଥିଲେ।

ଗତକାଲି ସନ୍ଧ୍ୟା ୮ଟା ସମୟରେ ଏକ ନବଜାତକ ଜନ୍ମଲାଭ କରିଥିବା ବେଳେ ତାହା ମୃତ ବୋଲି ଜଣାଯାଇଥିଲା। ଏହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁର ଅଭିଯୋଗ ଉଠାଇବା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖରେ ତାଲା ପକାଇ ମୃତ ଶିଶୁକୁ ରଖି ଧାରଣାରେ ବସିଥିଲେ। ମୃତ ନବଜାତକର ବାପା ଦିଲ୍ଲୀପଙ୍କ ଅଭିଯୋଗ ଅନୁଯାୟୀ, ଦୁଇଦିନ ହେଲା ସେମାନେ ପ୍ରସୂତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର କିମ୍ବା ନର୍ସ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା ସେବା ଯୋଗାଇ ଦେଉନଥିଲେ। ଯନ୍ତ୍ରଣାରେ ଛାଟିପିଟି ହେଉଥିବା ବେଳେ ସେମାନଙ୍କୁ ଯେତେଥର ଡକାଯାଇଛି ଆସିବାରେ ବିଳମ୍ବରେ କରୁଥିଲେ ଏବଂ ଠିକ୍‌ ଭାବେ ‌ପ୍ରସୂତିଙ୍କୁ ଦେଖୁନଥିଲେ।

ଫଳରେ ଗତକାଲି ଶିଶୁଟି ଜନ୍ମହେବା ପରେ ମୃତ୍ୟୁ ହୋଇଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅନେକ ଆଶା ଭରସା ନେଇ ଆସିଥିବା ବେଳେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ନଦେଇ ଅବହେଳା କରାଯାଉଥିବାରୁ ସମ୍ପୃକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହାଛଡ଼ା ନବଜାତକର ମୃତ୍ୟୁ ୧୭ ଘଣ୍ଟା ବିତିଯାଇଥିବା ବେଳେ ସେମାନଙ୍କ ଅଭିଯୋଗ ମୁତାବକ କୌଣସି ପଦକ୍ଷେପ ଗ୍ରହଣ କରାନଯାଇଥିବାରୁ ‌ପ୍ରସୂତି ବିଭାଗ ଗେଟ୍‌ରେ ତାଲା ପକାଇ ସେମାନେ ଧାରଣା ଦେଇଥିବା ‌କହିଥିଲେ। ତେବେ ପରିସ୍ଥିତିକୁ ନଜରରେ ରଖି ହସ୍ପିଟାଲ ଫାଣ୍ଡି ପୁଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ନବଜାତକର ପରିବାରକୁ ଭେଟି ସେମାନଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ ବୋଲି ବୁଝାଇବା ପରେ ଧାରଣା ହଟିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର