ହାଟଡ଼ିହି : ହାଟଡିହି ବ୍ଲକରେ ମାଣ୍ଡିଆଚାଷ ନାମରେ ବ୍ୟାପକ ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ବହୁ କମ ସଂଖ୍ୟକ ଚାଷୀ ଅଳ୍ପ ପରିମାଣର ଜମିରେ ମାଣ୍ଡିଆଚାଷ କରିଥିବାବେଳେ ଅଧିକ ପରିମାଣର ଦର୍ଶାଯାଇ ସରକାରୀ ଅନୁଦାନକୁ ହଡପ କରାଯିବାର ଯୋଜନା କରାଯାଇଛି ବୋଲି ଅଭିଯୋଗ ହୋଇଛି।
ପ୍ରତି ଚାଷୀମାନେ ଦୁଇପଟ ଧାଡ଼ିରୁଆ ଚାଷକଲେ ସେମାନଙ୍କୁ ହେକ୍ଟର ପିଛା ୫ ହଜାର ଓ ଗୋଟିଏପଟ ଧାଡିରୁଆ ଚାଷକଲେ ସେମାନଙ୍କୁ ହେକ୍ଟର ପିଛା ୨୫ହଜାର ଟଙ୍କା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଗତବର୍ଷ ବ୍ଲକର ୪୦ଟି ଗ୍ରାମରେ ୧୪୩ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବା ଦର୍ଶାଯାଇ ଅନୁଦାନ ଉଠାଯାଇଥିବା ବେଳେ ପ୍ରକୃତରେ ଏତେ ଜମିରେ ଚାଷ ହୋଇ ନଥିବା ଅଭିଯୋଗ ହୋଇଛି। ସେହିପରି ଚଳିତବର୍ଷ ଆତୁରିକୋଣା, ବାଲିବରେଇ, ବାଙ୍ଗୋର, ବଣିଆପଙ୍କ, ବରାଙ୍ଗ, ବେରୁଣପଦି, ବିଦ୍ୟାଧରପୁର, ଦନେଇପୁର, ଧନୁର୍ଜୟପୁର, ଢ଼େଙ୍କା, ହଦଗଡ, ଜଡାବାଙ୍କ, ଜମ୍ଭୀରା, ଜନ୍ତାଳପଦି, ଝଣଝଣା, ଝୁଣାବାଡି, କାହାଳିଆଗଡିଆ, କାନପୁର, କଅଁଳେଇବାଲିପାଳ, କରଞ୍ଜବାଟି ସମେତ ୫୦ରୁ ଊର୍ଦ୍ଧ୍ବ ଗ୍ରାମରେ ଚାଷ କରାଯାଇଥିବା 'ତଦାସା' ପକ୍ଷରୁ କୁହାଯାଇଛି। କେତେ ଚାଷୀଙ୍କ କେତେ ହେକ୍ଟର ଜମି ଚାଷ ହୋଇଛି ତାହାର କୌଣସି ହିସାବ ନାହିଁ।
ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ବାରମ୍ବାର ସେମାନଙ୍କୁ ତାଲିକା ମାଗୁଛୁ କିନ୍ତୁ ସେମାନେ ଦେଉ ନଥିଲେ। ଗତ ଦୁଇଦିନ ତଳେ ଏକ ତାଲିକା ଦେଇଛନ୍ତି। ଯେଉଁଥିରେ ୬୩୫ଜଣ ଚାଷୀ ୨୭୫.୩ ହେକ୍ଟର ମାଣ୍ଡିଆ ଚାଷ କରିଥିବା ଦର୍ଶାଯାଇଛି । ମାଣ୍ଡିଆ ଅମଳ ସମୟ ଗଡ଼ିଯିବାପରେ ଆମେ ଏବେ ଏହି ତାଲିକା ଧରି କରିବୁ ବା କଣ ବୋଲି ସେ ନିଜର ଅସହାୟତା ପ୍ରକାଶ କରି କହିଛନ୍ତି।
କୃଷି ଅଧିକାରୀଙ୍କ କହିବାନୁଯାଇ ସେମାନଙ୍କ ରିପୋର୍ଟ ଆଧାରରେ କୃଷି କର୍ମଚାରୀ ଓ କୃଷି ଅଧିକାରୀମାନେ ଚାଷଜମି ତଦାରଖ କରି ରିପୋର୍ଟ ଦେବାପରେ ଯାଇ ଚାଷୀଙ୍କୁ ଅନୁଦାନ ଦିଆଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଆମେ ତ ଏବେ ତାଲିକା ପାଇଲୁ ତେଣୁ କିପରି ଜମି ତଦାରଖ କରିବୁ ଓ କଣ ରିପୋର୍ଟ ଦେବୁ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ମାଣ୍ଡିଆ ଚାଷର ଦାୟିତ୍ୱ ବୁଝୁଥିବା ତଦାଶାର କର୍ତ୍ତୃପକ୍ଷ ଗୋପୀ ଶ୍ରୀଚନ୍ଦନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେପରି କିଛି ଅନିୟମିତତା ହୋଇ ନାହିଁ । କୃଷି ବିଭାଗର ରିପୋର୍ଟ ପରେ ଯାଇ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।