ବରଗଡ଼: ଭୋଟ୍ଦାନ ବେଳେ ଜଣେ ମହିଳାଙ୍କୁ ମାଡ଼ ମାରିବା। ସେହିଦିନ ହିଁ ବୁଥ୍ ପରିସରରେ ଜଣେ ନିରୀହ ଲୋକକୁ ନିସ୍ତୁକ ପିଟିବା। ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ନିଜେ ଲହୁଲୁହାଣ ହେବା। ଏସବୁ ବିବାଦରେ ଫସିଥିବା ଗାଇସିଲାଟ୍ ଥାନାଧିକାରୀଙ୍କ ବିରୋଧରେ ପୁଣି ଦୁର୍ବ୍ୟବହାର ଅଭିଯୋଗ ଆସିଛି।
ଏନେଇ ଗାଇସିଲାଟ୍ ବ୍ଲକ୍ ଜଗଲପାଟ୍ର ବିଶାଖା ଭୋଇ ଏବଂ ଅନ୍ୟ ଗ୍ରାମବାସୀ ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ବିଶାଖାଙ୍କ ସ୍ବାମୀ ରାଜେନ୍ଦ୍ର ୨ ତାରିଖ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ହତ୍ୟାର କାରଣ ଜାଣିବାକୁ ପରଦିନ ବିଶାଖା ଏବଂ ସାକ୍ଷୀ ଡାକ୍ତର ସାହୁ ଥାନାକୁ ଯାଇଥିଲେ।
ତେବେ ଥାନାଧିକାରୀ ଦୁଇଦିନ ଧରି ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। ପରେ ଅଭିଯୋଗ ଗ୍ରହଣ କରିବେନି ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଏନେଇ ଏସ୍ପିଙ୍କ ପାଖକୁ ଗଲେ ବି କିଛି କରିପାରିବନି ବୋଲି ଚେତାବନୀ ଦେଇଥିଲେ। ମାମଲାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନହେଲେ ନିଜେ ଆତ୍ମହତ୍ୟା କରିବେ ବୋଲି ବିଶାଖା କହିଛନ୍ତି।