ଉମରକୋଟ : ଉମରକୋଟ ବ୍ଲକ ଅନ୍ତର୍ଗତ ସୁକିଗାଁ ପଞ୍ଚାୟତର ଗୋଟିଏ ଗାଁରେ ଦୁଇ ନାବାଳିକା ଭଉଣୀଙ୍କ ସହ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ସେମାନେ ଘରେ ଶୋଇଥିବା ବେଳେ ବଳପୂର୍ବକ ଘରୁ ଟେକି ନେଇ ଗାଁ ପାଖ ପୋଲ ନିକଟରେ ଦୁ‌ଷ୍କର୍ମ କରାଯାଇଥିବା ଉମରକୋଟ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ମିଳିବା ପରେ ପୁଲିସ ଘଟଣାରେ ସଂପୃକ୍ତ ଦୁଇ ନାବାଳକଙ୍କୁ ଅଟକ ରଖିଥିଲା। ପଚରାଉଚୁରା ପରେ ଜଣଙ୍କୁ ବ୍ରହ୍ମପୁର ବାଳ ସୁଧାରଗୃହକୁ ପଠାଇଥିବା ବେଳେ ଅନ୍ୟ ଜଣଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ କେୟାର ସେଣ୍ଟରକୁ ପଠାଇଛି।

Advertisment

ଅଭିଯୋଗ ଅନୁଯାୟୀ, ଅଜା ଘରେ କେହି ନଥିବାରୁ ଗତ ୧ତାରିଖ ଦିନ ରାତିରେ ଶୋଇବାକୁ ଯାଇଥିଲେ ଦୁଇ ନାବାଳିକା। ସେହିଦିନ ରାତିରେ ଦୁଇ ନାବାଳକ ଅଜାଙ୍କ ଘରେ ପଶିଥିଲେ। ଉଭୟଙ୍କୁ ଧମକ ଦେଇ ବଳପୂର୍ବକ ଘରୁ ଉଠାଇ ନେଇ ଗାଁ ବାହାରକୁ ଚାଲି ଯାଇଥିଲେ। ଗୋଟିଏ ପୋଲ ନିକକଟରେ ଉଭୟଙ୍କୁ ଦୁଷ୍କର୍ମ କରିବା ପରେ ଏ ନେଇ ଘରେ କିମ୍ବା ବାହାରେ କାହାକୁ କିଛି କହିଲେ ବଦନାମ କରିଦେବୁ ବୋଲି ପୁଣି ଧମକ ଦେଇଥିଲେ। ତେବେ ଘଟଣାର ପରଦିନ ଉଭୟ ପୀଡ଼ିତା ପୂର୍ବଦିନ ରାତିରେ ଘଟିଥିବା ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ତେଣୁ ଗାଁର ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଘଟଣାର ଆପୋସ ଆଲୋଚନା ମାଧ୍ୟରେ ସମାଧାନ କରିବାକୁ ବୈଠକ ହୋଇଥିଲା। ଏଥିରେ ଦୁଇ ନାବାଳକଙ୍କ ଗାଁର ଲୋକଙ୍କୁ ବି ଡକା ଯାଇଥିଲା। କିନ୍ତୁ ଏହି ବୈଠକକୁ ନାବାଳକ ଦ୍ବୟ ଆସି ନଥିଲେ। ଶେଷରେ ନାବାଳିକା ଦ୍ବୟ ଉମରକୋଟ ଥାନାରେ ଉଭୟ ନାବାଳକଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ଦଫା ୪୫୦, ୩୭୬ (୧), ୩୭୬ (୩), ୫୦୬ ଆଇପିସି, ଧାରା ୬ ପୋକ୍ସୋ‌ ଆଇନ ଅନୁଯାୟୀ ମାମଲା ରୁୁଜୁ ସହ ତଦନ୍ତ ଆରମ୍ଭ କରିଥିଲା। ଉଭୟ ନାବାଳକଙ୍କୁ ଉଠାଇ ଆଣିବା ପରେ ପଚରାଉଚୁରା କରିଥିଲା। ଉଭୟଙ୍କୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଇବା ପାଇଁ ପୁଲିସ ପଦକ୍ଷେପ ନେଇ ଉଭୟଙ୍କ କୋଭିଡ୍ ପରୀକ୍ଷା କରିଥିଲା। ତେବେ ଜଣେ ନାବାଳିକଙ୍କ ରିପୋର୍ଟ ପଜିଟିଭ୍ ଆସିବାରୁ ଚିକିତ୍ସା ନିମନ୍ତେ କୋଭିଡ୍ କେୟାର ସେଣ୍ଟରକୁ ପଠାଇ ଦେଇଥିଲା। ଅନ୍ୟ ଜଣେ ନାବାଳକକୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି।