ପୋଷ୍ଟାଲ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଅଧିକାରୀ ଥାନାରେ ଅଟକ

ଲୋଇସିଂହା : ଲୋଇସିଂହା ସବ୍‌ପୋ‌ଷ୍ଟ ଅଫିସ ଅଧୀନସ୍ଥ ବାଦିବାହାଲ ଶାଖା ଦାୟିତ୍ବରେ ଥିବା ଅଧିକାରୀ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ସଂପୃକ୍ତ ଅଧିକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ବାଦିବାହାଲ ପଞ୍ଚାୟତ ବିଶାଲପାଲି ଗାଁର ନୀଳାମ୍ବର ବିଶ୍ବାଲ ତାଙ୍କ ଦୁଇଝିଅଙ୍କ ନାମରେ ଉକ୍ତ ଶାଖା ଡାକଘରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିଥିଲେ। ପର୍ଯ୍ୟାୟ କ୍ରମେ ସେ ଦୁଇଖାତାରେ ଟଙ୍କା ଜମା କରି ଚାଲିଥିଲେ। ତାଙ୍କ ଜମା ଖାତାରେ ସଂପୃକ୍ତ ଅଧିକାରୀ ମାଧବାନନ୍ଦ ବାରିକ ଜମା ଟଙ୍କା ଲେଖି ମୋହର ପକାଉଥିବାରୁ ଜମାକାରୀ ସନ୍ଦେହ କରିପାରୁ ନଥିଲେ। ପରେ ସବୁ ଟଙ୍କା ଜମା ହୋଇ ନଥିବା ସେ ସନ୍ଦେହ କରି ଲୋଇସିଂହା ମୁଖ୍ୟ ଡାକଘରେ ପଚାରିଥିଲେ ଓ ଅର୍ଥ ହଡ଼ପ ହୋଇଥିବା ଜାଣି ପାରିଥିଲେ। ସେହିପରି ବାଦିବାହାଲ ଗାଁର ସୁନୀଲ ଦାସ ଆର୍‌ପିଏଲ୍‌ଆଇ ଯୋଜନାରେ ୨୫ ହଜାର ଟଙ୍କାର ଜମାଖାତା ଖୋଲିଥିଲେ। ମାତ୍ର ଉକ୍ତ ଟଙ୍କା ମଧ୍ୟ ଜମା ହୋଇ ନଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ବିଭିନ୍ନ ଯୋଜନାରେ ତଥା ସଞ୍ଚୟ କରିଥିବା ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଖବର ମିଳିବା ପରେ ଗ୍ରାମବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଇଥିଲା। ବହୁ ଗ୍ରାମବାସୀ ଗୁରୁବାର ଉକ୍ତ ପୋ‌ଷ୍ଟ ଅଫିସକୁ ଆସି ଅଧିକାରୀଙ୍କୁ ତାଲା ପକାଇ ପୁଲିସକୁ ସୂଚନା ଦେଇଥିଲେ। ଜମାକାରୀମାନଙ୍କ ଅନ୍ୟୂନ ୬୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଅନୁମାନ କରାଯାଉଛି। କେତେକ ଜମାକାରୀଙ୍କ ପାସ୍‌ବୁକ୍‌କୁ ଯାଞ୍ଚ ଆଳରେ ମାଗିନେଇ ପୋଡ଼ି ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ବହୁଦିନରୁ ଏହି କାରବାର ଚାଲିଥିଲେ ମଧ୍ୟ ଉକ୍ତ ଶାଖା ପରିଚାଳନା ତଦାରଖ କରୁ୍‌ଥିବା ବରି‌ଷ୍ଠ ଅଧିକାରୀଙ୍କ ନଜରକୁ କିପରି ଆସୁ ନଥିଲା ବୋଲି ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ଜମା ଟଙ୍କା ତୁରନ୍ତ ଜମାକାରୀଙ୍କୁ ପ୍ରଦାନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର