ପରକୀୟା ପ୍ରୀତି ସନ୍ଦେହ; ସ୍ତ୍ରୀ ନାଁରେ ସ୍ୱାମୀକୁ ହତ୍ୟା କରିବା ଅଭିଯୋଗ

ସମ୍ବଲପୁର : ପରକୀୟା ପ୍ରୀତି ସନ୍ଦେହ କାରଣରୁ ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପ୍ରକାଶ ଲୁହା(୪୫) ଓ ତାଙ୍କ ସ୍ତ୍ରୀ ସ୍ନେହଲତା ଜୟପୁରିଆଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଉଭୟଙ୍କର ବିବାହକୁ ୧୩ ବର୍ଷ ହୋଇ ସାରିଥିବା ବେଳେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସ୍ନେହଲତା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ପରକୀୟା ପ୍ରୀତି ଥିବା ନେଇ ଜୟପ୍ରକାଶ ସନ୍ଦେହ କରିଥିଲେ। ଏହାକୁ ନେଇ ମତାନ୍ତର ବଢ଼ିବାରୁ ୧୫ ଦିନ ତଳେ ଜୟପ୍ରକାଶ ୨ ପିଲାଙ୍କୁ ଧରି ନିଜ ଗାଁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ତିମର୍‌କୁ ପଳାଇଥିଲେ।

କୌଣସି କାମ ପଡ଼ିବାରୁ ବୁଧବାର ସେ ସମ୍ବଲପୁର ଆସିଥିଲେ। ସମ୍ବଲପୁର ଆସିବା ପରେ ପୁଣିଥରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପଡ଼ୋଶୀ ମଧ୍ୟ ଝଗଡ଼ାର ସାଖୀ ଥିବା ପୁଲିସ କହିଛି। କିଛି ସମୟ ପରେ ସବୁ ନିରବ ହୋଇ ଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଥାନାକୁ ଯାଉଛି କହି ସ୍ତ୍ରୀ ଘରୁ ପଳାଇଥିଲେ। କିଛି ସମୟ ପରେ ଜୟପ୍ରକାଶ ଯନ୍ତ୍ରଣା ଅନୁଭବ କଲେ। ସେ ତାଙ୍କ ସମ୍ପର୍କୀୟଙ୍କ ସମେତ, ପୁଲିସକୁ ମଧ୍ୟ ଫୋନ୍‌ କରି ଏ ବିଷୟରେ ସୂଚନା ଦେଲେ। ତାଙ୍କ ସ୍ତ୍ରୀ ପାଣିରେ କିଛି ମିଶାଇ ଦେଇଥିବାରୁ ଯନ୍ତ୍ରଣା ହେଉଥିବା କହିଥିଲେ। ଏହାପରେ ତାଙ୍କର ୨ ଜଣ ବନ୍ଧୁ ତାଙ୍କ ଘରେ ପହଞ୍ଚି ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ବାନ୍ତି କରାଯାଇଥିଲା। ପରେ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅପମୃତ୍ୟୁରୁ ହତ୍ୟାକୁ ବଦଳିଲା ମାମଲା
ବୁର୍ଲା ଭିମ୍‌ସାର୍‌ରେ ଜୟପ୍ରକାଶଙ୍କର ମୃତ୍ୟୁ ଘଟିବା ପରେ ବୁର୍ଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଜୟପ୍ରକାଶଙ୍କ ପରିବାର ଲୋକ ଆସି ଧନୁପାଲି ଥାନାରେ ଜୟପ୍ରକାଶଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଯାହା ଫଲରେ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାକୁ ବଦଳି ଯାଇଥିଲା। ଧନୁପାଲି ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କାହା ସହିତ ଥିବା ପରକୀୟା ସଂପର୍କ?
ଜୟପ୍ରକାଶଙ୍କୁ ହତ୍ୟା କରାଯାଇଛି, ଏଭଳି ଅଭିଯୋଗ ତାଙ୍କ ପରିବାର ଲୋକେ ଆଣିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜୟପ୍ରକାଶ ଶେଷରେ କରିଥିବା କଲ୍‌ ଅନୁଯାୟୀ, ତାଙ୍କ ସ୍ତ୍ରୀ ତାଙ୍କୁ ପାଣିରେ କିଛି ମିଶାଇ ପିଆଇ ଦେଇଥିବା କହିଥିଲେ। ଏହାପରେ ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଦେଲେ। ତେବେ ଜୟପ୍ରକାଶଙ୍କୁ କିଏ ବିଷ ଦେଲା, ଏବେ ପୁଲିସ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଅନ୍ୟପଟେ ପୁଲିସ ଜୟପ୍ରକାଶଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରକୀୟା ପ୍ରୀତି ହିଁ ଜୟପ୍ରକାଶଙ୍କ ମୃତ୍ୟୁର କାରଣ ବୋଲି ଚର୍ଚ୍ଚା ହେଉଛି। ଯଦି ପରକୀୟା ପ୍ରୀତି ଥିଲା ତେବେ ଏହି ସଂପର୍କ କାହା ସହିତ ଥିଲା, ହତ୍ୟା ପଛରେ ଉକ୍ତ ବ୍ୟକ୍ତିଙ୍କର ହାତ ଅଛି ନା ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଉଠିଛି।

ସମ୍ବନ୍ଧିତ ଖବର