ଲଇକେରା : ମେଡିକାଲ୍ ବନ୍ଦ ହୁଏ ୧୨ଟାରେ। ରୋଗୀ ପହଞ୍ଚିଲେ ୧୧ଟା ୧୫ରେ। ଏହି ସମୟରେ ରୋଗୀଙ୍କୁ ସାଲାଇନ୍ ଦେଲେ ଡାକ୍ତରଖାନା ବନ୍ଦ ହେବା ପୂର୍ବରୁ ତାହା ସରିବ ନାହିଁ। ପରଦିନ ଦୁଇଟି ସାଲାଇନ୍ ଦିଆଯିବ କହି ରୋଗୀଙ୍କୁ ଫେରାଇ ଦିଆଗଲା। ଏପରି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ପରିବାର ଲୋକ। ଲଇକେରା ବ୍ଲକ ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନାମରେ ଏପରି ସଂଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ପରିଜନ। ଶେଷରେ ପରିବାର ଲୋକ ଅନ୍ୟ ଉପାୟ ନ ପାଇ ନିଜ ଚେଷ୍ଟାରେ ଘର ବାରଣ୍ଡାରେ ରୋଗୀଙ୍କୁ ସାଲାଇନ୍ ଦେଇଥିଲେ।
ଅଭିଯୋଗ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ସାହାସପୁର ଗ୍ରାମର ସୁଶାନ୍ତ ନାଏକଙ୍କ ଝିଅ ସୋନାଲି ନାଏକଙ୍କ ଝାଡ଼ା ବାନ୍ତି ହେଉଥିଲା। ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ୧୫ରେ ପରିବାର ଲୋକ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଜଣେ ଷ୍ଟାଫନର୍ସ, ଫାର୍ମାସିଷ୍ଟଙ୍କ ସମେତ ଦୁଇ ଦିନ ପାଇଁ ଡେପୁଟେସନ୍ରେ ଆସିଥିବା ଆୟୁଷ ଡାକ୍ତର ଉପସ୍ଥିତ ଥିଲେ। ମଧ୍ୟାହ୍ନ ୧୨ଟାରେ ଚିକିତ୍ସାଳୟ ବନ୍ଦ ହଏ। ତେବେ ୧୨ଟା ବାଜିବାକୁ ୪୫ ମିନିଟ୍ ବାକି ଥିଲା। ଏହି ସମୟରେ ସାଲାଇନ୍ ଦେଲେ ଠିକ ସମୟ ଭିତରେ ସାଲାଇନ୍ ସରିବ ନାହିଁ, ଏପରି କହି ରୋଗୀଙ୍କ ରକ୍ତଚାପ ପରୀକ୍ଷା କରି ପଠାଇ ଦେଇଥିଲେ। ଆସନ୍ତାକାଲି ଆସିଲେ ଦୁଇଟି ସାଲାଇନ ଦେଇ ଦେବା କଥା କହିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଝିଅକୁ ଡାକ୍ତରଖାନାରୁ ଫେରାଇ ଆଣିବା ପରେ ନିଜ ଘର ବାରଣ୍ଡାରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଡାକି ସାଲାଇନ୍ କିଣି ଲଗାଇଥିଲେ।
ଏହାକୁ ନେଇ ଫାର୍ମାସିଷ୍ଟ ଚିତ୍ତରଞ୍ଜନ ପରିଜାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଡାକ୍ତରଖାନାରେ ଟେକ୍ନିସିଆନ ନାହାନ୍ତି। ସେ ଆଜି କଲେକ୍ସନ ହୋଇଥିବା କଫ ସାମ୍ପଲ ପରୀକ୍ଷା କରୁଥିଲେ। ତେଣୁ ଏ ବିଷୟରେ କହି ପାରିବେ ନାହିଁ ବୋଲି କହିଥିଲେ। ସେହିପରି ଷ୍ଟାଫ ନର୍ସ ରୀନା ଧାନ ମଧ୍ୟ ଏହି ବିଷୟକୁ ଖଣ୍ଡନ କରିଛନ୍ତି। ଏ ବିଷୟରେ ବ୍ଲକ ମେଡିକାଲ ଅଫିସର ଡା. ଘନଶ୍ୟାମ ସୁରେନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଝିଅର ରକ୍ତଚାପ ୧୧୦/୭୦ ଥିଲା। ତେଣୁକରି ସାଲାଇନ୍ ଦେବା ଠିକ ହେବନି ବୋଲି ଡାକ୍ତର କହିଥିବା ସେ କହିଥିଲେ। ସମୟ ହୋଇଯିବା ବାହାନା କରି ରୋଗୀ ଫେରାଇ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଡାକି ଘର ବାରଣ୍ଡାରେ ଦୋକାନରୁ ସାଲାଇନ କିଣି ଆଣି ବିନା ଡାକ୍ତରଙ୍କ ପରାମର୍ଶରେ ସାଲାଇନ ଦେବା କେତେ ଦୂର ଠିକ ତାହା ଏବେ ପ୍ରଶ୍ନ ଉଠିଛି। ଜିଲ୍ଲାପାଳ ଏ ବିଷୟରେ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/d1925a87-0d6b-49a5-a16b-f540259ef645.jpg)