ମେଣ୍ଢା ମାଂସ ବିକ୍ରି ଅଭିଯୋଗ, ତିନି ଗିରଫ

କଟକ : ବିକ୍ରି ହେଉଥିଲା ନକଲି ମାଂସ। ଅର୍ଥାତ ମେଣ୍ଢାକୁ ଲୁଚାଛପାରେ କାଟି ଖାସି ମାଂସ କହି କିଲୋ ପିଛା ୭ଶହ ଟଙ୍କାରେ ବିକ୍ରି କରାଯାଉଥିଲା ଗ୍ରାହକଙ୍କୁ। ଏ ସଂପର୍କରେ ସୂଚନା ପାଇ ଚାଉଳିଆଗଂଜ ଥାନା ପୁଲିସ ଅତର୍କିତ ଚଢାଉ କରିଥିଲା। ଗ୍ରାହକଙ୍କୁ ଖାସି କହି ମେଣ୍ଢା ମାଂସ ବିକ୍ରିର ପ୍ରମାଣ ପାଇଯିବା ପରେ ୧୦ କିଲୋ ମାଂସ ଓ ୧୬ଟି ମେଣ୍ଢା ଜବତ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। କଟକରେ ନକଲି ଘିଅ, ତେଲ, ମସଲା କଂପାନିରେ ବ୍ୟାପକ ଚଢାଉ ଚାଲିଥିବା ବେଳେ ଆଜି ଏଭଳି ନକଲି ମାଂସ ଜବତ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି।

ସୂଚନାଯୋଗ୍ୟ ଯେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ସାଧାରଣରେ ଛାଡ଼ଖାଇ ପାଳନ ହେଉଥିବା ବେଳେ ଗତକାଲି ଥିଲା ମଙ୍ଗଳବାର। ତେଣୁ ଆମିଷ ବେପାର ବେଶୀ ଜମି ନଥିଲା। ଆଜି ବୁଧବାର ଥିବାରୁ ଆମିଷ ବଜାରରେ ଲୋକଙ୍କର ଅପେକ୍ଷାକୃତ ଭିଡ଼ ଥିଲା। ଏହାର ସୁଯୋଗ ନେଇ କିଛି ବେପାରୀ ଅଧିକ ଲାଭ ଆଶାରେ ପୋତାପୋଖରୀ କଂସେଇ ଖାନାରେ ମେଣ୍ଢା ବିକ୍ରି କରାଯାଇ ଗ୍ରାହକ ମାନଙ୍କ ଠାରୁ ଖାସି ଛେଳି ମାଂସ କହି କିଲୋ ପ୍ରତି ସାତ ଶହ ଟଙ୍କା ଆଦାୟ କରାଯାଉଥିଲା। ଖବର ପୁଲିସ ପାଖରେ ପହଁଚିବା ପରେ ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରି ଅପର୍ଣ୍ଣାନଗର ଶାନ୍ତି ବିହାର ଅଞ୍ଚଳର ଶେଖ କାଲା, କାଲିଆ ଓରଫ ମିର୍ଜା ଇର୍ଫାନ, ବୁଦ୍ଧିଆ ଓରଫ ଇକବାଲ ଅଲ୍ଲୀକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର