ବିଧାୟକଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭିଯୋଗ, ନବରଙ୍ଗପୁର ଜିଲ୍ଲା ରାଜନୀତି ତେଜିଲା

ନବରଙ୍ଗପୁର : ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୋଧରେ ଜଣେ ମହିଳା ‌ଯୌନ ନିର୍ଯାତନା ଅଭିଯୋଗ ଆଣିବାପରେ ନବରଙ୍ଗପୁର ଜିଲ୍ଲା ରାଜନୀତି ଉଷ୍ମ ହୋଇଉଠିଛି। ଆଜି କଂଗ୍ରେସ ଏବଂ ବିଜେପି ଏହି ଘଟଣାରେ ବିଧାୟକଙ୍କ ସହ ବିଜେଡିକୁ ଘେରିଛନ୍ତି। କାର୍ଯ୍ୟାନୁଷ୍ଠାନ ଦାବିକରି ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବିଧାୟକ କିମ୍ବା ବିଜେଡି ପକ୍ଷରୁ ଏହି ସମ୍ବେଦନଶୀଳ ଘଟଣାରେ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନାହିଁ।

ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଡିସିସି ସଭାପତି ମୁନା ତ୍ରିପାଠୀ ଭୁବନେଶ୍ବର ଜାଗମରା ଅଞ୍ଚଳର ଜଣେ ମହିଳାଙ୍କ ସହ ଝରିଗାଁ ବିଧାୟକଙ୍କ ସମ୍ପର୍କ ରହିଥିବା ପ୍ରକାଶ କରିଛନ୍ତି। ଏପରିକି ବିଧାୟକ ସଂପୃକ୍ତା ମହିଳାଙ୍କ ଘରକୁ ଯିବା ସ୍ଥାନୀୟ ବାସିନ୍ଦା ଦେଖିଛନ୍ତି। ବିଧାୟକ ବିବାହିତ ବୋଲି ଜାଣିବା ପରେ ମହିଳା ଜଣକ ଦୂରେଇ ରହିବାକୁ ଉଦ୍ୟମ କରିଥିଲେ। ଶେଷରେ ଗତକାଲି ଥାନାରେ ଏତଲା ଦେଇଛନ୍ତି। ଆଇନ ଅନୁଯାୟୀ ଏତଲା ଦେବାର ଗୋଟିଏ ଘଣ୍ଟା ମଧ୍ୟରେ ଏତଲା କପି ମିଳିବା କଥା। କିନ୍ତୁ ୨୪ଘଣ୍ଟା ପରେ ବି ମାମଲା ରୁଜୁ ହୋଇନାହିଁ। ତୃତୀୟ ମହଲାର ଚାପରେ ପୁଲିସ ମାମଲା ରୁଜୁ କରୁନି ଏବଂ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ମହିଳାଙ୍କ ବୟାନ ସଂଗ୍ରହ, ପ୍ରମାଣ ଯୋଗାଡ଼ ଏବଂ ବିଧାୟକଙ୍କୁ ଗିରଫ କରାନଗଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ସେହିପରି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଦେବଗଡ ବିଧାୟକ ଓ ଝରିଗାଁ ବିଧାୟକଙ୍କ ପାଇଁ କ’ଣ ଆଇନ ଅଲଗା ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ, ଡାବୁଗାଁ ବିଧାୟକ ମ‌ନୋହର ରନ୍ଧାରୀଙ୍କ ବିରୋଧରେ ବହୁଦିନ ତଳେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲେ ବି ତଦନ୍ତ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏ ନେଇ ବିଧାୟକ ଶ୍ରୀମାଝୀଙ୍କ ମତାମତ ସଂଗ୍ରହ ପାଇଁ ଫୋନ୍‌ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧିତ ଖବର