ସ୍କୁଲ୍‌ରେ ରଙ୍ଗବୋଳିଲେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ

୫-ଟି ସ୍କୁଲ୍‌ ରୂପାନ୍ତରୀକରଣରେ ନିମ୍ନ ମାନର କାମ ଅଭିଯୋଗ

ଭୁବନେଶ୍ବର : ଶିକ୍ଷକ ନାହାନ୍ତି। ଗୁଣାତ୍ମକ ଶିକ୍ଷା ମିଳୁନି। ଡ୍ରପ୍ ଆଉଟ୍‌ ହାର ବଢ଼ୁଛି। ୫-ଟିରେ ଯେଉଁ କାମ ହେଉଛି, ତାହା ବି ନିମ୍ନମାନର। ଯେଉଁଠି କାମ ହୋଇଛି, ସେଠାରେ ଟଙ୍କା ମିଳୁନି। ବାସ୍ତବରେ ସରକାରଙ୍କ ଫୋକସ୍‌ରେ ଶିକ୍ଷା ନାହିଁ। ଆଜି ବିଧାନସଭାରେ ସରକାରଙ୍କୁ ଏମିତି ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ବିଧାୟକମାନେ। ଶାସକ ଦଳ ଯୁକ୍ତି ବାଢ଼ିଛି, ୫-ଟି ସ୍କୁଲ୍‌ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି।

୫-ଟି ସ୍କୁଲ୍‌ ଏବେ ସାରା ଦେଶ ପାଇଁ ମଡେଲ୍‌: ଶାସକ

ଶୁକ୍ରବାର ଦିନ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ‘ସ୍କୁଲ୍‌ ରୂପାନ୍ତରୀକରଣ ୫-ଟି ନାମରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ୫-ଟି କିଏ ଆରମ୍ଭ କଲା? ଏମିତି ଚିନ୍ତାଧାରାର ଜନକ କିଏ? ୫-ଟିର ଗୋଟିଏ ‘ଟି’ ହେଲା ସ୍ବଚ୍ଛତା। ୫-ଟି ରୂପାନ୍ତୀକରଣ ସ୍କୁଲ୍‌ କାମରେ ସ୍ବଚ୍ଛତା ରହୁଛି ବୋଲି ସରକାର ଜୋର୍‌ ଦେଇ କହିପାରିବେ କି? କେବଳ ସ୍କୁଲ୍‌ର ଭଙ୍ଗା କାନ୍ଥରେ ରଙ୍ଗ ବୋଳିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବନି। ବହୁ ସ୍କୁଲ୍‌ରେ ଶିକ୍ଷକ ପଦବି ଖାଲି ପଡ଼ିଛି। ଡ୍ରପ୍‌ ଆଉଟ୍‌ ହା‌ରରେ ଓଡ଼ିଶା ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନ ନେଇଛି। ୫-ଟି ନାମରେ ହାଇସ୍କୁଲ୍‌ ରୂପାନ୍ତରୀକରଣ କଥା ଚିନ୍ତା କରୁଥିଲା ବେଳେ ଏପଟେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଗଲାଣି। ମୁକେଶ ମହାଲିଙ୍ଗ କହିଥିଲେ, ଗୁଣାତ୍ମକ ଶିକ୍ଷା ହେଲା ବିକାଶର ଏକ ମୁଖ୍ୟ ଦିଗ। କିନ୍ତୁ ସ୍କୁଲ୍‌ଗୁଡ଼ିକର କେବଳ ୫-ଟି ରୂପାନ୍ତରୀକରଣ କହି ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଏପରିକି ୫-ଟି ସ୍କୁଲ୍‌ରେ କାମ ହୋଇଥିଲେ ବି ଟଙ୍କା ମିଳୁନି। କୁସୁମ ଟେଟେ କହିଲେ, ୫-ଟି ନାଁରେ ପିସି ଧନ୍ଦା ଚାଲିଛି। ନିମ୍ନ ମାନର କାମ କରି ଟଙ୍କା ହଡ଼ପ କରାଯାଉଛି। ଶିକ୍ଷକମାନଙ୍କୁ ଠିକ୍ ଦରମା ନଦେଲେ ସେମାନେ କେମିତି ପାଠ ପଢ଼ାଇବେ?

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଶିକ୍ଷା ବିକାଶ ନହେଲା ଯାଏ ରାଜ୍ୟର ସାମାଜିକ, ଅର୍ଥନୈତିକ ବିକାଶ ଅସମ୍ଭବ। ଓଡ଼ିଶାରେ ଶିକ୍ଷାର ବିକାଶ ହୋଇନି। ଶିକ୍ଷାର ବିକାଶ ମାନେ ଉଚ୍ଚମାନର ଶିକ୍ଷା। ଆଉ ସେଥି ପାଇଁ ଦରକାର ଭଲ ଶିକ୍ଷକ ଓ ଭଲ ଦରମା। ୨୩ ବର୍ଷର ଏକ ସ୍ଥିର ସରକାର ଶିକ୍ଷାକୁ ଯେତିକି ଗୁରୁତ୍ବ ଦେବା କଥା ଦେଇନାହାନ୍ତି। ବାସ୍ତବରେ ସରକାର ଲୋକଙ୍କୁ ଶିକ୍ଷିତ କରିବାକୁ ଚାହୁନାହାନ୍ତି। ବହୁ ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି। ୫-ଟି ରୂପାନ୍ତରୀକରଣ ଯୋଜନାରେ ଯେଉଁ ସ୍କୁଲ୍‌ କାମ ହେଉଛି ତାହା ନିମ୍ନମାନର ବୋଲି ଅଭିଯୋଗ ହେଉଛି। ୬ ମାସ ହୋଇନି, ଗୋଟିଏ ସ୍କୁଲ୍‌ର କାନ୍ଥ ଭୁଶୁଡ଼ିଗଲା। ବହୁ ଟଙ୍କା ବାଟମାରଣା ହେଉଛି। ତେଣୁ ଦୁର୍ନୀତିକୁ ପ୍ରଥମେ ବନ୍ଦ କରିବାକୁ ପଡ଼ିବ। ୫-ଟି ନାଁରେ ବାହାବା ନ ନେଇ ସରକାର ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବାକୁ ଶ୍ରୀ ମିଶ୍ର କହିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜିଲ୍ଲାରେ ୫-ଟି ସ୍କୁଲ୍‌ ପାଇଁ ଜିଲ୍ଲାସ୍ତରରେ ଆସବାବପତ୍ର କିଣାରେ ଦୁର୍ନୀତି ହୋଇଛି ବୋଲି କହିଥିଲେ।

ଶାସକ ଦଳ ସଭ୍ୟ ଅରୁଣ ସାହୁ କହିଥିଲେ, ୫-ଟି ଉପକ୍ରମରେ ବିକାଶ ହୋଇଥିବା ସ୍କୁଲ୍‌ଗୁଡ଼ିକ ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଗୁଡ଼ିକ ଏବେ ସାରା ଦେଶରେ ମଡେଲ୍‌। ସ୍କୁଲ୍‌ର ପରିବେଶ ଓ ଭିତ୍ତିଭୂମିର ବିକାଶ ହୋଇଛି। ଅଭିଭାବକ, ଛାତ୍ରଛାତ୍ରୀ ଏହାକୁ ପସନ୍ଦ କରୁଛନ୍ତି। ଶାସକ ଦଳର କୌଣସି ବିଧାୟକ ଛାତିରେ ହାତ ରଖି କହିପାରିବେ କି ତାଙ୍କ ଅଞ୍ଚଳରେ ୫-ଟି ସ୍କୁଲ୍‌ ଦରକାର ନାହିଁ। ଶାସକ ଦଳ ସଭ୍ୟ ଦିବ୍ୟଶଙ୍କର ମିଶ୍ର ଓ ବ୍ୟୋମକେଶ ରାୟ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର