କଙ୍ଗାରୁ କୋର୍ଟରେ ଦୋଷୀ ସାବ୍ୟସ୍ତ ଯୁବକ! ମାନସିକ ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ

ବାଲିଆପାଳ : ବାଲିଆପାଳ ଥାନା ଅର୍ନ୍ତଗତ ଦେଉଳା ପଞ୍ଚାୟତ ଜାଠିଆ ଗ୍ରାମର ଜଣେ ୪୨ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ଘର ନିକଟସ୍ଥ ଏକ ନିମ୍ବଗଛରୁ ଉଦ୍ଧାର କରାଯାଇଛି। ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗ୍ରାମର ଅମୂଲ୍ୟ ଦାସ ଗତ ୩ ବର୍ଷ ହେଲା ଜନୈକ ବ୍ୟକ୍ତିଙ୍କ ଘରେ ଟ୍ୟୁସନ କରି ଆସୁଥିଲେ। ଗତ ଏପ୍ରିଲ ୨୭ ତାରିଖରେ ସନ୍ଧ୍ୟାରେ ସେ ଉକ୍ତ ବ୍ୟକ୍ତିଙ୍କ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଟ୍ୟୁସନ କରୁଥିଲେ। ଝିଅଟି ପରିଶ୍ରା ଯିବାକୁ କହିବାରୁ ଅମୂଲ୍ୟ ତାଙ୍କୁ ଅନ୍ଧାରରେ ଟର୍ଚ୍ଚ ଦେଖାଇବାକୁ ଉଠି ଯାଇଥିଲେ। ତେବେ ଝିଅର ମା’ ଏହା ଦେଖି ଅମୂଲ୍ୟଙ୍କୁ ସନ୍ଦେହ କରି ଅନ୍ଧାରରେ କଣ କରୁଛ ବୋଲି ପଚାରିଥିଲେ। ଅମୂଲ୍ୟ ଝିଅକୁ ଟର୍ଚ୍ଚ ଦେଖାଉଥିବା କହିଥିଲେ ମଧ୍ୟ ସେ ବିଶ୍ବାସ କରି ନଥିଲେ। ପରେ ଝିଅଟିର ମା’ ଏବଂ ଖୁଡୀ ତାଙ୍କ ଝିଅକୁ ଅମୂଲ୍ୟ ଅସଦାଚରଣ କରିଥିବା ତାଙ୍କ ପତ୍ନୀଙ୍କୁ କହିଥିଲେ। ୨୮ ତାରିଖ ସକାଳେ ଗ୍ରାମର ରବୀନ୍ଦ୍ର ଜେନା, ନିମାଇଁ ରାଉଳ, ଅଭୟ ସାମଲ ଘଟଣାକୁ ନେଇ ଗ୍ରାମରେ ବିଚାର ବସିବ ବୋଲି କହିଥିଲେ। ଗତ ୨ ତାରିଖ ଦିନ ଗ୍ରାମରେ ବିଚାର ବସିବା ସହ ନାବାଳିକା ଝିଅକୁ ଅସଦାଚରଣ କରିବା ଘଟଣାରେ ଅମୂଲ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦଣ୍ତ ସ୍ବରୁପ ତାଙ୍କ ୫ ଲକ୍ଷ ଟଙ୍କା ଓ ୧୦ ଗୁଣ୍ଠ ଜମି ଜରିମାନା କରାଯାଇଥିଲା। ଅମୂଲ୍ୟ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ। ପରେ ଅମୂଲ୍ୟଙ୍କ ପତ୍ନୀ ଧାର ଉଧାର କରି ଏବଂ ଗହଣା ଗାଣ୍ଠି ବିକି ୩ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ପୁଣି ବୁଧବାର ଗ୍ରାମର କିଛି ବ୍ୟକ୍ତି ଆସି ତାଙ୍କୁ ଆଉ ୨ ଲକ୍ଷ ଟଙ୍କା ମାଗିଥିଲେ। ଏଭଳି ପରିସ୍ଥିତିରେ ମାନସିକ ନିର୍ଯାତନା ସହିନପାରି ପରିବାର ଲୋକେ ଶୋଇଯିବା ପରେ ଅମୂଲ୍ୟ ଘର ନିକଟସ୍ଥ ଏକ ନିମ୍ବଗଛରେ ଫାଶୀ ଲଗାଇ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ସେପଟେ ଗାଁରେ ବୈଠକ ବସିବା ଓ ଜରିମାନା କଥା ସମସ୍ତେ ଅସ୍ବୀକାର କରିଛନ୍ତି। ନିଜ ଭୁଲ ଯୋଗୁଁ ମାନିସିକ ଭାରସାମ୍ୟ ହରାଇ ଅମୂଲ୍ୟ ଆତ୍ମହତ୍ୟା କରିଥିବା ନାବାଳିକା ପରିବାର ପକ୍ଷରୁ କୁହାଯାଇଛି । ଗ୍ରାମରେ ବିଚାର ବସିବା, ୫ ଲକ୍ଷ ଟଙ୍କା ଜରିମାନା ମାଗିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ପୂର୍ବତନ ସରପ‌ଞ୍ଚ ଅକ୍ଷୟ ସାମଲ କହିଛନ୍ତି ।

ସମ୍ବନ୍ଧିତ ଖବର