ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ସ୍କୁଲକୁ ଆସିବାକୁ ବାରଣ କଲେ ବିଇଓ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନ କେନ୍ଦୁଗୁଡ଼ା ଉନ୍ନୀତ ଉଚ୍ଚବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ବିଜ୍ଞାନ ଶିକ୍ଷକ ବିଜୟ ନେଗୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଶିକ୍ଷକ ଶ୍ରୀ ନେଗୀଙ୍କୁ ସ୍କୁଲ ଆସିବାକୁ ବାରଣ କରିଛନ୍ତି ବିଇଓ। ଅନ୍ୟପକ୍ଷରେ ତାଙ୍କୁ ସ୍କୁଲରୁ ହଟାଇବାକୁ ସ୍କୁଲ କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି।

ପ୍ରକାଶ ଯେ, ଏହି ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ନେଗୀ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଗତ ୧୩ ତାରିଖ ଦିନ ଧର୍ମଗଡ଼ ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଚପାଇ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଉଦ୍ୟମ କରୁଥିବା ବିଷୟରେ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ ଅଭିଯୋଗ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶକ୍ରମେ ଧର୍ମଗଡ଼ ବିଇଓ ବାଞ୍ଛାନିଧି ପୁରୋହିତ, ଏବିଇଓ ନବକିଶୋର ସାହୁ ସାନକେନ୍ଦୁଗୁଡ଼ା ଯାଇ ସ୍କୁଲ କମିଟି ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଆଗରୁ ମଧ୍ୟ ସମାନ ପ୍ରକାର ଅଭିଯୋଗ ରହିଛି। ତଥାପି ପ୍ରଧାନ ଶିକ୍ଷକ ତାଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ଛାତ୍ରୀମାନେ ଭୟଭୀତ ହୋଇ ରହୁଛନ୍ତି। ତୁରନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ସେଠାରୁ ହଟାଇଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ବିଇଓ ଶ୍ରୀ ପୁରୋହିତଙ୍କୁ ପଚରାଯିବାରୁ ଡିଇଓଙ୍କ ନିର୍ଦେଶକ୍ରମେ ସେ ଓ ଏବିଇଓ ସଂପୃକ୍ତ ସ୍କୁଲକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲକୁ ଆସିବାକୁ ବାରଣ କରିଥିବା କହିଥିଲେ। ତଦନ୍ତ ରିପୋର୍ଟ ଡିଇଓଙ୍କୁ ଦିଆଯିବ ଓ ସେଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ସେହିପରି ଧର୍ମଗଡ଼ ଏସ୍‌ଡିପିଓ ନାରାୟଣ ନାଏକଙ୍କୁ ପଚରାଯିବାରୁ ଏଯାଏ ପୁଲିସରେ କୌଣସି ଅଭିଯୋଗ ହୋଇ ନାହିଁ, ଅଭିଯୋଗ ହେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର