ଭୁବନେଶ୍ବର : ଓପିଟିସିଏଲ ଟେଣ୍ଡର୍ରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁକମ୍ପା ଦେଖାଇ ନିୟମ ବାହାରକୁ ଯାଇ ଅଧିକାରୀମାନେ ସଂସ୍ଥାର ପ୍ରାୟ ୯ କୋଟି ଟଙ୍କା କ୍ଷତି କରାଇଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ହାତଗୁଞ୍ଜା କାରବାର ହୋଇଛି ବୋଲି ଓପିଟିସିଏଲ୍ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟର ଆସୋସିଏସନ୍ ଅଭିଯୋଗ କରିଛି। ତେଣୁ ଏହାର ତଦନ୍ତ ପାଇଁ ଆସୋସିଏସନ୍ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ସଂଘର ସାଧାରଣ ସମ୍ପାଦକ ଅଶୋକ ରାୟଙ୍କ ଅଭିଯୋଗ ମୁତାବକ, ୨୦୨୧ ମାର୍ଚ୍ଚରେ ଓପିଟିସିଏଲ ପ୍ରାୟ ୬୦୦ କୋଟି ଟଙ୍କାର ଟେଣ୍ଡର ଡାକିଥିଲା। ଡୁବୁରିରେ ୪୦୦ କେଭି ‘ୱେ ଏକ୍ସଟେନ୍ସନ୍ ଓ୍ୱାର୍କ’, ପ୍ରତାପଶାସନ ଓ ନୂଆ ଡୁବୁରିରେ ୨୨୦ କେଭି ଗ୍ରିଡ ସବ୍ଷ୍ଟେସନ୍ ଓ ଏରସମାର (୨x୫୦୦) ଏମଭିଏ, (୪୦୦x୨୦୦) କେଭି ଜିଆଇଏସ୍ ସବଷ୍ଟେସନ୍ ନିର୍ମାଣ ଯୋଜନା ରହିଥିଲା। ପ୍ରଥମ ଦୁଇଟି ଟେଣ୍ଡର୍ ନିୟମ ଅନୁଯାୟୀ ‘ଏଲ-୧’ ରେ ଥିବା ସଂସ୍ଥାକୁ ଦିଆଯାଇଥିବା ବେଳେ ଏରସମା ସବଷ୍ଟେସନ୍ କାମରେ ଅଧିକାରୀମାନେ ଦୁର୍ନୀତି କରିଛନ୍ତି। ଏହି ଟେଣ୍ଡର୍ରେ ୮ଜଣ ଭାଗ ନେଇଥିଲେ। ବିଭିନ୍ନ କାରଣରୁ ସେମାନଙ୍କ ମଧ୍ୟରୁ ମେସର୍ସ ଭେଲ ଓ ମେସର୍ସ ଟିବିଇଏ ଅଯୋଗ୍ୟ ଘୋଷିତ ହୋଇଥିଲେ। ସେମାନଙ୍କର ପ୍ରାଇସ୍ ବିଡ୍ ଖୋଲା ଯାଇନଥିଲା। ବାକି ୬ଟି ସଂସ୍ଥାଙ୍କ ପ୍ରାଇସ୍ବିଡ୍ ଖୋଲା ଯାଇଥିଲା। ସେଥିରେ ମେସର୍ସ ସିମେନ୍ସ-ଏକେ ଡିଏଏଲ୍ ଯୌଥ ଆବେଦନକାରୀଙ୍କ ପ୍ରାଇସ ବିଡ୍ ସବୁଠୁ କମ୍ ଥିବା ବା ଏଲ୍-୧ ରହିଥିବା ଦର୍ଶାଯାଇଥିଲା। ଏରସମା ସବଷ୍ଟେସନ୍ ପାଇଁ ଅଟକଳ ୨୧୫କୋଟି ରହିଥିଲା। ମେସର୍ସ ସିମେନ୍ସ- ଏକେଡିଏଏଲ୍ ୭% କମ୍ ଅର୍ଥାତ୍ ୨୦୦. ୬୩ କୋଟି ଟଙ୍କାର ଟେଣ୍ଡର୍ ମୂଲ୍ୟ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ସଂସ୍ଥାକୁ ଟେଣ୍ଡର୍ ଦିଆଯାଇନଥିଲା। ଆହୁରି କମ୍ ମୂଲ୍ୟରେ ଯିବ ବୋଲି ଦର୍ଶାଇ ଓପିଟିସିଏଲ୍ ଏହି ଟେଣ୍ଡର୍ ପ୍ରକ୍ରିୟାକୁ ନାକଚ କରି ପୁନଃ ଟେଣ୍ଡର୍ କରାଯାଇଥିଲା। ସେଥିରେ ଏହି ପ୍ୟାକେଜର ସଂଶୋଧିତ ଅଟକଳ ମୂଲ୍ୟ ୨୦୦.୩୧ କୋଟି ରଖାଯାଇଥିଲା। ଏଥିରେ ତିନିଜଣ ଆବେଦନ କଲେ। ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭେଲ୍ ମଧ୍ୟ ଆବେଦନ କରିଥିଲା।
ପ୍ରାଇସ୍ ବିଡ୍ ଖୋଲାଯିବା ପରେ ୨୦୯.୮୨ କୋଟି ଟଙ୍କାର ପ୍ରାଇସ୍ ବିଡ୍ ଦେଇଥିବା ଭେଲ୍ ଏଲ-୧ ହୋଇଥିଲା। ଏହି ପ୍ରାଇସ୍ ବିଡ୍ ଓପିଟିସିଏଲ୍ର ଅଟକଳଠାରୁ ୫% ଅଧିକ ଥିଲା। ପୂର୍ବ ଟେଣ୍ଡର୍ ବା ଯାହାକୁ ବାତିଲ କରାଯାଇଥିଲା, ସେଥିରେ ଏଲ-୧ ହୋଇଥିବା ସଂସ୍ଥାର ବିଡ୍ପ୍ରାଇସ୍ ଯେତିକି (୨୦୦.୬୩ କୋଟି ଟଙ୍କା) ଥିଲା, ତା’ଠାରୁ ୯କୋଟି ଟଙ୍କା ଅଧିକ ଥିଲା ଭେଲ୍ର ବିଡ୍ପ୍ରାଇସ୍। ଓପିଟିସିଏଲ୍ ଏଲ-୧ ଆଧାରରେ ଭେଲ୍କୁ ଚୟନ କରିଥିଲା। କେଉଁ ପରିସ୍ଥିତିର ଅଧିକାରୀମାନେ ସଂସ୍ଥାର ୯ କୋଟି କ୍ଷତି କଲେ? ଏଥିପାଇଁ କିଏ ଦାୟୀ? କାହିଁକି ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବନି? କାହିଁକି ଏହି ଟେଣ୍ଡର୍କୁ ବାତିଲ କରାଯିବନି ବୋଲି ସଂଘ ପ୍ରଶ୍ନ ଉଠାଇବା ସହ ଶକ୍ତିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଭଳି ଟେଣ୍ଡର୍କୁ କ୍ଷତିରେ ସମର୍ପି ଦେବା ପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଛି ବୋଲି ସଂଘ ଅଭିଯୋଗ କରିଛି। ତେବେ ଏ ସଂପର୍କରେ ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।