ଗହମ ପରିବହନରେ ଟେଣ୍ଡର୍‌ ଫିକ୍ସିଂ ଅଭିଯୋଗ: ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଚିଠି ଲେଖିଲେ

କେନ୍ଦୁଝର : ଯୋଗାଣ ବିଭାଗର ଗହମ ପରିବହନ ପାଇଁ ହୋଇଥିବା ଟେଣ୍ଡର ଖୋଲାଯିବା ପରେ ବିଜ୍ଞାପନ ପ୍ରକାଶନକୁ ଟେଣ୍ଡର ଫିକ୍ସିଂ ଅଭିଯୋଗ ଉଠିଥିଲା। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଫଳରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଚିଠି ଲେଖିଛି ଯୋଗାଣ ବିଭାଗ। ବିଜ୍ଞାପନ ପ୍ରକାଶରେ କାହିଁକି ଓ କେଉଁ ପରିସ୍ଥିତରେ ବିଳମ୍ବ ହେଲା ତାହା ଜାଣିବାକୁ ଯୋଗାଣ ବିଭାଗ ଚିଠି କରିଛି। ଟେଣ୍ଡର ରଦ୍ଦ ନକରି ନିଜ ମୁଣ୍ଡରୁ ଦୋ‌ଷ ଛଡ଼ାଇବାକୁ ଏଭଳି ଚିଠି ଲେଖିଥିବା କୁହାଯାଉଛି।

ଆଜି ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନମ୍ବର ୨୩୧୮/୨୫.୧୦.୨୧ରେ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ମାତ୍ର ବିଜ୍ଞାପନ ପ୍ରକାଶ ପାଇବା ପୂର୍ବରୁ ଟେଣ୍ଡର ଖୋଲା ଯାଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିବାକୁ କୌଣସି ପଦକ୍ଷେପ ନେଇନାହିଁ। କୁହାଯାଉଛି, ଟେଣ୍ଡରରେ ପ୍ରକ୍ରିୟାରେ ଭାଗ ନେଇଥିବା ଦୁଇଜଣ ଆବେଦନକାରୀ ବିଜନ କୁମାର ସାହୁ ଏବଂ ଈଶ୍ବର ଚନ୍ଦ୍ର ସାହୁଙ୍କ ଯୋଗାଣ ବିଭାଗର ଭଲ ସଂପର୍କ ରହିଛି। ଏମିତିକି ଏମାନଙ୍କ ମଧ୍ୟରୁ ଜଣେ ଏବେ ବି ଯୋଗାଣ ବିଭାଗ ଚାଉଳ ପରିବହନ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି। ଯେଉଁଥିପାଇଁ ବିଜ୍ଞାପନ ପ୍ରକାଶିତ ହେବା ପୂର୍ବରୁ ଟେଣ୍ଡର ଖୋଲାଯାଇଥିଲେ ବି ଟେଣ୍ଡର ପ୍ରକ୍ରିୟା ରଦ୍ଦ ନ କରିବାକୁ ବିଭାଗ ଅଣ୍ଟା ଭିଡ଼ିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝରସ୍ଥିତ ଏଫ୍‌ସିଆଇ ଗୋଦାମରୁ ଜିଲ୍ଲାର ମଣ୍ଡୁଆ, ସୁଆଁପଦା, ଗୁମୁରା, ବଡ଼ବିଲର ଥିବା ଯୋଗାଣ ବିଭାଗ ଗୋଦାମକୁ ପ୍ରତି ମାସ‌ରେ ୭ ହଜାର କୁଇଣ୍ଟାଲ ଗହମ ପରିବହନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ୫ ତାରିଖରେ ଟେଣ୍ଡର ବିଜ୍ଞାପନ ଗଣମାଧ୍ୟମରେ ପ୍ରକାଶ ପାଇବା କଥା। ୧୧ ତାରିଖରେ ପ୍ରି-ବିଡ୍ କନଫରେନ୍ସ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ସେହି ଅନୁସାରେ ୨୧ ତାରିଖ ସୁଦ୍ଧା ଟେଣ୍ଡର ପେପର ଦାଖଲର ଶେଷ ସମୟ ଥିଲା। ୨୨ ତାରିଖରେ ବୈଷୟିକ ବିଡ୍‌ ଖୋଲିବା ଏବଂ ୨୨ ତାରିଖ ଅପରାହ୍ନ ସାଢ଼େ ୪ଟାରେ କାଗଜପତ୍ର ଯାଞ୍ଚ ହେବାର ଥିଲା। ବୈଷୟିକ ବିଡ୍ ୨୨ ତାରିଖରେ ଖୋଲା ଯାଇଥିଲେ ବି ଖବରକାଗଜରେ ଏ ସଂପର୍କିତ ବିଜ୍ଞାପନ ୨୩ ତାରିଖରେ ପ୍ରକାଶିତ ହୋଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର