ଦେବଗଡ଼ : ବାପା, ମା’ଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ଗ୍ରାମରେ। ନିର୍ଯାତିତା ମା’ଙ୍କ ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପାଲି ଗ୍ରାମର ଫକୀର ମୋହନ ପ୍ରଧାନଙ୍କ ସ୍ତ୍ରୀ ମମତା ପ୍ରଧାନଙ୍କୁ ତାଙ୍କ ପୁଅ ବିବେକା ପ୍ରଧାନ (୨୯) ନିଶା ପାନ କରିବା ସହ ଟଙ୍କା ପଇସା ପାଇଁ ଘରେ ଗଣ୍ଡଗୋଳ କରିଥାଏ। ଗତ ବର୍ଷ ପୁଅ ଉଭୟ ବାପା-ମା’ଙ୍କୁ ଘରେ ପୂରାଇ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲା। ସେହି ସମୟରେ ସେମାନଙ୍କୁ ଶାଶୁ ବଞ୍ଚାଇ ଥିଲେ ମଧ୍ୟ ଘରର ବହୁ ଆସବାବପତ୍ର ପୋଡ଼ିଯାଇଥିଲା। ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ଉଭୟ ମମତା ଓ ଫକୀର ଘର ଛାଡି କିଛିଦିନ ଅନ୍ୟତ୍ର ଭଡା ଘରେ ରହିଥିଲେ। ସେଠାକୁ ମଧ୍ୟ ପୁଅ ବିବେକା ଯାଇ ସେମାନଙ୍କୁ ମାଡଗାଳି କରି ଆସୁଥିଲା। ଗତ ଡିସେମ୍ବର ମାସରେ ବିବେକା ନିଜ ଭୁଲ ସ୍ୱୀକାର କରି ଭଡାଘରୁ ସେମାନଙ୍କୁ ନିଜ ଘରକୁ ଆଣିଥିଲା। ମାତ୍ର ବାପା-ମା’ ଘରକୁ ଆସିବା ପରେ ପୁଣିଥରେ ପୂର୍ବଭଳି ଅତ୍ୟାଚାର ଆରମ୍ଭ କରିଥିଲା।
ଗତ ମାର୍ଚ୍ଚ ମାସରେ ପୁଅ ବିବେକା ମା’କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିଲା। ମା’ ମମତା ମଥାରେ ସିନ୍ଦୂର ଭରି ଦେଇଥିଲା। ମମତା ଏକଥା ନିଜ ସ୍ୱାମୀଙ୍କୁ କହିଥିଲେ। ସ୍ୱାମୀ ଏହାର ପ୍ରତିବାଦ କରିବାରୁ ବିବେକା ଉଭୟଙ୍କୁ ମାଡ ମାରି ଘରୁ ତଡ଼ିଦେବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏନେଇ ପୁଲିସ ନିକଟରେ ଉଭୟ ଅଭିଯୋଗ କରିଥିଲେ ମଧ୍ୟ ମିଳାମିଶା ହୋଇ ଘଟଣାର ସମାଧାନ କରାଯାଇଥିଲା। ଲୋକଲଜ୍ଜ୍ୟା ଭୟରେ ପୁଅର କଳା କାରନାମାକୁ ମା’ ନିଜ ଭିତରେ ଲୁଚାଇ ରଖି ନିର୍ଯାତନା ସହି ଯାଉଥିଲେ। ହେଲେ ଗତକାଲି ମମତା ସ୍ୱାମୀ, ଶାଶୁ ଓ ଶ୍ୱଶୂରଙ୍କ ସହ ନିଜ ଆମ୍ବ ବଗିଚାରୁ ବିକ୍ରି ହୋଇଥିବା ଆମ୍ବର ହିସାବ କରୁଥିଲେ। ଏହି ସମୟରେ ପୁଅ ବିବେକା ଆସି ଟଙ୍କା ମାଗିଥିଲା। ପରିବାର ଲୋକେ ଟଙ୍କା ଦେବାକୁ ମନା କରିବାରୁ ବିବେକା ଏକ ବାଡ଼ି ସାହାଯ୍ୟରେ ପରିବାର ଲୋକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା। ସେହିପରି ବଗିଚାରେ ଥିବା ସମସ୍ତ ଆମ୍ବ ଗଛକୁ କାଟି ଦେବାର ଧମକ ଦେଇଥିଲା।
ଏନେଇ ମା’ ମମତା ସହାୟତା ପାଇଁ ବାରକୋଟ ସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥା ‘ସଖୀ’ ନିକଟରେ ନିବେଦନ କରିଥିଲେ। ଦେବଗଡ଼ ଥାନାରେ ପୁଅ ଅତ୍ୟାଚାର ବିରୋଧରେ ମା’ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।