କଟକ: ରାଜ୍ୟର ସମସ୍ତ ୫୫ଟି ରକ୍ତଭଣ୍ଡାରରେ ଆଇଡି-ଏନଏଟି(ଇଣ୍ଟିଭିଜୁଆଲ ଡୋନର ନିୟୁକ୍ଲିକ ଏସିଡ ଟେଷ୍ଟିଂ) ଟେକ୍ନୋଲୋଜି ବ୍ୟବସ୍ଥା କାର୍ଯ୍ୟକାରୀ ପ୍ରସଂଗ ନେଇ ଦାଏର ମାମଲାର ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି। ରକ୍ତ ଭଣ୍ଡାର ବା ରକ୍ତ ସଂଗ୍ରହ କେନ୍ଦ୍ର ଗୁଡ଼ିକରେ ନାଟ୍ ‌ଟେଷ୍ଟିଂ (ନ୍ୟୁକ୍ଲିକ୍ ଏସିଡ ଟେଷ୍ଟ) ସୁବିଧା ଉପଲବ୍ଧ ପ୍ରସଂଗ ନେଇ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଦାଏର ଏକ ଅଦାଲତ ଅବମାନନା ଆବେଦନ ବିଚାରାଧୀନ ରହିଥିବା ଏହି ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। 

Advertisment

ସବୁ ଠାରୁ ଅଧୁନିକ ଆଇଡି-ଏନଏଟି ଜ୍ଞାନକୌଶଳ ହୋଇଥିବା ବେଳେ ରାଜ୍ୟର ସବୁ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ଜନସ୍ବାର୍ଥ ମାମଲାର ସେପ୍ଟେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଅମରେନ୍ଦ୍ର ମହାପାତ୍ରଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ରକ୍ତଭଣ୍ଡାର ଗୁଡିକରେ ରକ୍ତର ପୁରୁଣା ଏଲିସା ପରୀକ୍ଷା ପଦ୍ଧତି ଅବଲମ୍ବନ କରାଯାଉଥିବା ବେଳେ ଏହି ପଦ୍ଧତିରେ ଏଚଆଇଭି ଭଳି ସଂକ୍ରମଣ ନିର୍ଦ୍ଧିଷ୍ଟ ଅବଧିରେ ଜଣାପଡୁନଥିଲା। ପୂର୍ବରୁ ରୁଜୁ ଏକ ଜନସ୍ବାର୍ଥ ମାମଲାରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାନୁସାରେ ସରକାର ନାଟ୍-ପିସିଆର ଟେଷ୍ଟ କେତେକ ରକ୍ତଭଣ୍ଡାରରେ ଉପଲବ୍ଧ କରିଲେଣି। ହେଲେ ଏହି ପ୍ରକ୍ରିୟାରେ ମଧ୍ୟ ଏଚଆଇଭି, ଏଚସିଭି, ଏଚବିଭି ଭଳି ଭଳି ମାରାତ୍ମକ ସଂକ୍ରମଣ ଉଇଣ୍ଡୋ ପିରିଅଡରେ ଜଣାପଡୁ ନାହିଁ। 

ଫଳରେ ରକ୍ତ ନେବା ପରେ ରୋଗୀ ଏଡ୍ସ ଭଳି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହୁଛି।  ଆଇଡି-ଏନଏଟି ବ୍ୟବସ୍ଥା ଦ୍ବାରା ଏଚଆଇଭି ଓ ଅନ୍ୟ ମାରାତ୍ମକ ରକ୍ତ ସଂକ୍ରମଣ ରକ୍ତଦାତାଙ୍କ ରକ୍ତରୁ ଜଣା ପଡ଼ିବ। ଯୁକ୍ତ ରାଷ୍ଟ୍ର, ୟୁରୋପ, ମିଡିଲ ଇଷ୍ଟ, ଆଫ୍ରିକା ସହିତ ବହୁ ରାଷ୍ଟ୍ରରେ ଆଇଡି-ଏନଏଟି ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ବୈଜ୍ଞାନିକ ଦୃଷ୍ଟି କୋଣରୁ ବୈଧ ଓ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଗ୍ରହଣୀୟ।

ତେଣୁ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ସମସ୍ତ ରକ୍ତ ଭଣ୍ଡାରରେ ଅତ୍ୟାଧୁନିକ ଆଇଡି-ଏନଏଟି ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସଂକ୍ରମିତ ରକ୍ତ ନେଇ ନିରୀହ ରୋଗୀ କିପରି ପରବର୍ତ୍ତୀ ସମୟରେ ଏଚଆଇଭି ପୀଡ଼ିତ ହୋଇଥିଲେ ସେ ନେଇ ଆବେଦନ ସହିତ ତଥ୍ୟ ସଂଲଗ୍ନ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆନଜୀବୀ ସତ୍ୟସୁନ୍ଦର କାନୁନଗୋ ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।