ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ଦ୍ବାରା ଯୋଗାଣ ହୋଇଥିବା ଧାନ ବିହନରୁ ଗଜା ହେଉନି। ଚାଷୀମାନେ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରୁଛନ୍ତି। କିନ୍ତୁ କୃଷି ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନି। ପୂର୍ବରୁ ବିଧାନସଭାରେ ଏ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା ବେଳେ ଆଜି ମଧ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ ବିଧାୟକମାନେ ସରକାରଙ୍କ ଠାରୁ ଉତ୍ତର ମାଗିଥିଲେ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ନିର୍ଦ୍ଦିଷ୍ଟ ଭାବେ ଯେଉଁଠି ଗଜା ମରୁଡ଼ି ହୋଇଥିବା ଅଭିଯୋଗ ଆସିବ ସେଠାରେ କ୍ଷେତ୍ର ପରିଦର୍ଶନ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବ।
ରାଜ୍ୟରେ ବିହନର ଉତ୍ପାଦନ ଓ ଯୋଗାଣ ସଂକ୍ରାନ୍ତରେ ମୂଳ ପ୍ରଶ୍ନକର୍ତ୍ତା ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଣାଇଥିଲେ, ୨୦୨୨-୨୩ରେ ୩୩ ଲକ୍ଷ ୧୯ ହଜାର ୩୯୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରିବା ପାଇଁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ୨୭ ହଜାର ୭୬୦ କ୍ବିଣ୍ଟାଲ ଅଧିକ ଅମଳକ୍ଷମ ଧାନ ବିହନ ଆବଶ୍ୟକ ହୋଇଥାଏ। ରାଜ୍ୟରେ ଅଧିକ ଅମଳକ୍ଷମ ଧାନ ବିହନର ପ୍ରତିବଦଳ ହାର ୩୩ ପ୍ରତିଶତ ଅଟେ। ଏଣୁ ସରକାର ଚାଷୀଙ୍କ ଚାହିଦା ଅନୁସାରେ ଚଳିତ ବର୍ଷ ୪ ଲକ୍ଷ ୭୫ ହଜାର ୨୪୪ କ୍ବିଣ୍ଟାଲ ଅଧିକ ଅମଳକ୍ଷମ ବିହନ ଯୋଗାଇବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟ ବିହନ ନିଗମ ନିଜସ୍ବ ବିହନ ଉତ୍ପାଦନ ଯୋଜନା ‘ମୋ ବିହନ ଯୋଜନା’ ମାଧ୍ୟମରେ ରାଜ୍ୟରେ କ୍ରମାଗତ ଭାବେ ଧାନ, ମାଣ୍ଡିଆ, ହରଡ଼, ଚିନାବାଦାମ, ବିରି, ମୁଗ, ବୁଟ, ମଟର, ସୋରିଷ, ରାଶି, ଅଳସୀ, ପେଶୀ ଆଦି ବିହନ ଉତ୍ପାଦନ କରିଆସୁଛି। ଏହା ବାଦ୍ ଅନ୍ୟ ରାଜ୍ୟ ଉପରେ ନିର୍ଭର ନ କରି ନିଜସ୍ବ ଉତ୍ପାଦନ ବୃଦ୍ଧି ନିମନ୍ତେ ନିଗମ ରାଜ୍ୟର ୨୨ଟି ବେସରକାରୀ ବିହନ ଉତ୍ପାଦନକାରୀ ସଂସ୍ଥାଙ୍କ ସହ ୩ ବର୍ଷ ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରି ବିହନ ଉତ୍ପାଦନ ବ୍ୟବସ୍ଥା କରିଅଛି। ବିଷ୍ଣୁ ସେଠୀ, ନରସିଂହ ମିଶ୍ର, ସୁରେଶ ରାଉତରାୟ, ରଘୁରାମ ପଦାଲ, ଭାସ୍କର ମଢ଼େଇ, ଲକ୍ଷ୍ମଣ ମୁଣ୍ଡା, ଦାଶରଥୀ ଗମାଙ୍ଗୋ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/paddy.jpg)