ଏସ. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଜୀବନଦାଦର ଅଙ୍ଗନୱାଡ଼ି କେନ୍ଦ୍ର (କ)ରେ ଭ୍ୟାକ୍‌ସିନ୍‌ର ଅତ୍ୟଧିକ ମାତ୍ରା ଯୋଗୁଁ ଜଣେ ୨ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ​ ନେଇ ଶିଶୁର ବାପା ସଂପୃକ୍ତ ଏଏନ୍‌ଏମ୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ ମାୟାବର୍ହା ପଞ୍ଚାୟତ ଧାନବସା ଗ୍ରାମର ନରେନ୍ଦ୍ର ଷାଣ୍ଢ ଓ ପତ୍ନୀ ପ୍ରମୋଦିନୀ ଷାଣ୍ଢ ଗତ ୧୯ ତାରିଖ ଦିନ ତାଙ୍କ ୨ ମାସର ଶିଶୁପୁତ୍ରକୁ ମାୟାବର୍ହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଜୀବନଦାଦର ଅଙ୍ଗନବାଡ଼ି କେନ୍ଦ୍ର (କ)କୁ ନେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନ୍‌ଏମ ମୀରା ସାହୁ ଶିଶୁଟିକୁ ଏକ ସଙ୍ଗେ ୪ଟି ଭ୍ୟାକ୍ସିନ ଦେବା ପରେ ଷାଣ୍ଢ ଦମ୍ପତି ପୁଅକୁ ନେଇ ଘରକୁ ଫେରିଥିଲେ। କିନ୍ତୁ ଘରେ ପହଞ୍ଚିବାର କିଛି ସମୟ ପରେ ଶିଶୁଟି ଅଚେତ ହୋଇ ଯାଇଥିଲା। ଶିଶୁକୁ ପ୍ରଥମେ ବରପାଲି ମେଡିକାଲ ଓ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବୁର୍ଲାକୁ ନେଉଥିଲେ। କିନ୍ତୁ ବାଟରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ଭ୍ୟାକ୍‌ସିନ୍‌ର ଅତ୍ୟଧିକ ମାତ୍ରା ଯୋଗୁଁ ତାଙ୍କ ଛୁଆର ମୃତ୍ୟୁ ଘଟିଥିବା ନରେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଥିଲେ।

Advertisment

ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଏଏନ୍‌ଏମ୍‌ଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ତେବେ ଅଭିଯୋଗ କରିବା ପୂର୍ବରୁ ମୃତ ଶିଶୁକୁ ପୋତି ଦେଇଥିବା ହେତୁ ଥାନାଧିକାରୀ ରଞ୍ଜିତ ସାହୁ ମାମଲା ରୁଜୁ ନକରି ପ୍ରାରମ୍ଭିକ ତଦନ୍ତ କରିବା ସହ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଡୁଙ୍ଗୁରିପାଲି ସିଡିପିଓଙ୍କୁ ଏ ନେଇ ଅବଗତ କରିଥିଲେ। ଶନିବାର ମାଜିଷ୍ଟ୍ରେଟ୍‌ ଭାବେ ରାମପୁର ତହସିଲ୍‌ଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସହ ଉପସ୍ଥିତିରେ ରାମପୁର ପୁଲିସ୍‌ ମୃତଦେହ ମାଟି ତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛି।

ଏ ସଂପର୍କରେ ଏଏନ୍‌ଏମ୍‌ ମୀରା ସାହୁଙ୍କୁ ପଚାରିବାରୁ, ‘ଉକ୍ତ ଶିଶୁକୁ ଆବଶ୍ୟକ ପରିମାଣର ଟିକା ଦିଆଯାଇଛି। ଟିକା ଯୋଗୁଁ ତା’ର ମୃତ୍ୟୁ ହୋଇ ନଥିବ, କାରଣ ଆମେ ଉକ୍ତ ଶିଶୁପୁତ୍ରକୁ ଦେଢ଼ମାସିଆ ଭ୍ୟାକ୍ସିନ ଡୋଜ୍‌ ଦେଇଛୁ। ଯାହା ତିନୋଟି ଡୋଜ୍ ଥାଏ। ଶିଶୁଟି ଜନ୍ମ ବେଳେ କମ୍ ଓଜନ ଥିବାରୁ ସେତେବେଳେ ତାକୁ ବିସିଜି ଟିକା ଦିଆଯାଇନଥିଲା। ତେଣୁ ତାକୁ ବିସିଜି ସହ ଉକ୍ତ ୩ ଟିକା ପ୍ରଦାନ କରାଯିବାର ଥିଲା ଓ ମୁଁ ତାହା ହିଁ କରିଛି। ଭ୍ୟାକ୍ସିନ୍‌ ଦେବାର ଅଧଘଣ୍ଟା ପର୍ଯ୍ୟନ୍ତ ତାକୁ ନିରୀକ୍ଷଣରେ ରଖିବା ପରେ ଘରକୁ ଛାଡ଼ିଥିଲୁ। ଯଦି ଟିକାର କିଛି ପାର୍ଶ୍ବ ପ୍ରତିକ୍ରିୟା ହୋଇଥାନ୍ତା ​ତେବେ ତାହା ଆମେ ଜାଣିପାରିଥାନ୍ତୁ। କିନ୍ତୁ ଶିଶୁଟି ଘରକୁ ଗଲାପରେ ଅନେକ ସମୟ ପରେ ରାତିରେ ଅଚେତ ହୋଇଥିବା ସୂଚନା ପାଇଛି। ତେଣୁ ଏହା ଟିକାର ଅତ୍ୟଧିକ ମାତ୍ରା ନୁହେଁ, ଅନ୍ୟ କିଛି କାରଣ’ ବୋଲି କହିଛନ୍ତି।

ଏଠାରେ ସୂଚନାଥାଉ କି ଶିଶୁପୁତ୍ରର ମରଶରୀରକୁ ବ୍ୟବଚ୍ଛେଦ ପାଇଁ ବିନିକା ନେବାକୁ କୌଣସି ପ୍ରକାର ସରକାରୀ ବ୍ୟବସ୍ଥା କରାଯାଇ ନଥିଲା। ଯାହା କି ପୀଡ଼ିତ ପରିବାର ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ଉକ୍ତ ଗରିବ ପରିବାର ଏକ ଭଡ଼ା ଗାଡ଼ି କରି ମୃତ ପୁତ୍ରକୁ ବିନିକା ନେଇଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ରାମପୁର ଥାନାରେ କେସ୍ ନଂ. ୮୧/୨୦୨୩ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଠିକ ତଥ୍ୟ ମିଳିପାରିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅବିନାଶ ପଧାନ କହିଛନ୍ତି।