ବାଣପୁର : ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଆଜି ପାଣ୍ଡବ ନାୟକ ନାମକ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ ଯେ ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ କୋଳଥଡିହ ଗ୍ରାମର ପାଣ୍ତବ ନାୟକ (୫୫) ଶନିବାର ପତ୍ନୀ ମଞ୍ଜୁଙ୍କ ସହ ବାଣପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ହାତରେ ଏକ ବଥ (ସିଷ୍ଟ୍‌) ହୋଇଥିବାରୁ ଡ୍ରେସିଙ୍ଗ୍‌ କରିବା ସହ ଇଞ୍ଜେକ୍ସନ୍ ନେବାକୁ କାର୍ଯ୍ୟରତ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ପାଣ୍ତବଙ୍କୁ ଇଞ୍ଜେକସନ୍‌ ଦେବା ପରେ ହଠାତ୍ ସେ ଥରିବା ସହ ଅଚେତ ହୋଇଯାଇଥିଲେ । ପରେ କାର୍ଯ୍ୟରତ ଡାକ୍ତର ପରୀକ୍ଷାନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁଲ ଇଞ୍ଜେକ୍ସନ ଯୋଗୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଥିବା ମଞ୍ଜୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ତୀବ୍ର ଉେତ୍ତଜନା ପ୍ରକାଶ ପାଇଥିଲା। ବାଣପୁର ପୁଲିସ ଡାକ୍ତରଖାନାରେ ପହ‌ଞ୍ଚି ତଦନ୍ତ ଆରମ୍ଭ କରିବା ସହ ସଂପୃକ୍ତ ଇଞ୍ଜେକ୍ସନ ଭାଏଲ୍‌କୁ ମଧ୍ୟ ପୁଲିସ ଜବତ କରିଛି।

publive-image

ଅନ୍ୟ ପକ୍ଷରେ ପୂର୍ବରୁ ମଧ୍ୟ ବହୁବାର ପାଣ୍ତବ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ବେଳେ ତାଙ୍କୁ ଆଣ୍ଟିବାଇଓଟିକ ବଟିକା ଓ ଇଞ୍ଜେକ୍ସନ୍‌ ଦିଆ ଯାଇଥିଲା ବୋଲି ଡାକ୍ତରଖାନାର ଅଧୀକ୍ଷକ ଡା. ରମାକାନ୍ତ ନାୟକ କହିବା ସହ ଘଟଣାର ବିଭାଗୀୟ ତଦନ୍ତ କରାଯିବ ବୋଲି କହିଛନ୍ତି।‌ ସେପଟେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ଅଧିକାରୀ ଜୟରାମ ପରିଡ଼ା କହିଛନ୍ତି ।