ରାଜନଗର: ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ଗତକାଲି କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ, ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ଆଜି ତାର ଜବାବ ରଖିଛି ବିଜେଡି। ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କଂଗ୍ରେସର ଅଭିଯୋଗରେ ସତ୍ୟତା ନାହିଁ, ଯଦି କଂଗ୍ରେସ ପାଖରେ ଏହାର ପ୍ରମାଣ ଅଛି ତାହେଲେ ତାହାକୁ ସାର୍ବଜନିତ କରାଯାଉ ବୋଲି ଆହ୍ବାନ ଦିଆଯାଇଛି। ରାଜନଗର ବ୍ଲକ୍ ମହିଁଷାସୁରଠାରେ କେସି ହାଉସ୍ରେ ବ୍ଲକ୍ ବିଜେଡି ସଭାପତି ନିରଂଜନ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଓବିସି ସେଲ ସଭାପତି ବିଜୟ ନାୟକ, ବିଜେଡି ଉପସଭାପତି ଗୋବର୍ଦ୍ଧନ ପ୍ରଧାନ, ଅରୁଣ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ ପ୍ରମୁଖ କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସ ଏଥିପାଇଁ କ୍ଷମା ପ୍ରାର୍ଥନା କରୁ, ନହେଲେ ଆଇନର ଆଶୟ ନେବୁ ବୋଲି କହିଛନ୍ତି। ବିଧାୟକ କୌଣସି ସ୍ଥାନରେ ଜଙ୍ଗଲ ଜମି ହେଉ କି ସରକାରୀ ଜମି ଦଖଲ କରିନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି। କଂଗ୍ରେସ ଯେଉଁ ହୋଟେଲ୍ କଥା କହୁଛି ସେହି ହୋଟେଲ୍ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କ ବ୍ୟକ୍ତିଗତ ଜମିରେ ନିର୍ମାଣ ହୋଇଛି।
ଏଥିରେ ବିଧାୟକଙ୍କ କୌଣସି ସଂପୃକ୍ତି ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ରାଜନଗର ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟ ଗର୍ଜନପୁର ମୌଜାର ଖାତା ନଂ ୨୦୭, ପ୍ଲଟ ନଂ ୬୨୭ ଗୋଚର କିସମ ଜମିରେ ନିର୍ମାଣ ହୋଇଛି। ପାଣିବାଟ ଜବରଦଖଲ କରି ଏବେବି ନିର୍ମାଣ ଜାରି ରହିଛି। ବାଲିସାହିପାଟଣାର ପୂର୍ବତନ ସରପଂଚ ଅଶୋକ କୁମାର ବଳଙ୍କ ନାଁରେ ଜବରଦଖଲ ପାଉତି କାଟି କଂଗ୍ରେସ ଏହି କାର୍ଯ୍ୟାଳୟ ନିର୍ମାଣ କରିଛି। କଂଗ୍ରେସ ପ୍ରଥମେ ଆଇନକୁ ସମ୍ମାନ ଦେଇ ଜବରଦଖଲରେ ଥିବା କଂଗ୍ରେସ କାର୍ଯ୍ୟାଳୟକୁ ଭାଙ୍ଗି ଗୋଚର ଜମିକୁ ଜବରଦଖଲ ମୁକ୍ତ କରୁ। ୭ଦିନ ମଧ୍ୟରେ ସେହି କାର୍ଯ୍ୟାଳୟ ଭଙ୍ଗା ନ ଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଆର୍ତବନ୍ଧୁ ମହାନ୍ତି, ଛାତ୍ର ବିଜେଡି ସଭାପତି ମନୋଜ କୁମାର ମଲ୍ଲିକ, ରାଜନଗର ସରପଂଚ ସୁଶ୍ରୀ ସଂଗୀତା ମିଶ୍ର, ମହିଁଷାସୁର ସରପଂଚ ଅଶୋକ କୁମାର ମହାନ୍ତି, ସାନବଡଗୋପାଳପୁର ସରପଂଚ ଗୋଲେଖ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ନେତା ସର୍ବେଶ୍ବର ମହାନ୍ତି, ପ୍ରଦୀପ କୁମାର ଲେଙ୍କା, ରମଣୀ ରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।