ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ନିର୍ଦ୍ଦେଶାନାମାରେ ଅସଙ୍ଗତି ଅଭିଯୋଗ

ଭୁବନେଶ୍ବର : ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ନିର୍ଦ୍ଦେଶାନାମାରେ ଗୁରୁତର ଅସଙ୍ଗତି ଥିବା ଓଡ଼ିଶା ସରକାରୀ ଉଚ୍ଚବିଦ୍ୟାଳୟ ଏନ୍‌ପିଏସ୍‌ ଶିକ୍ଷକ ସଂଘ ଅଭିଯୋଗ କରିଛି। ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଶିକ୍ଷକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ କରିଛି ଯେ, ସାଧାରଣ ପ୍ରଶାସନିକ ବିଭାଗ ବିଜ୍ଞପ୍ତି ଚିଠି ସଂଖ୍ୟା ୩୧୯୬୮ ତା ୧୪/୧୧/୨୦୨୨ରେ ଏସ୍‌ଓପି ଜାରି କରାଯାଇଛି। ଯେଉଁଥିରେ ଚୁକ୍ତିଭିତ୍ତିକ ନିୟମ-୨୦୧୩ ଅଧୀନରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପାଇଁ ଲାଗୁ ହେଉଛି। ମାତ୍ର ଏଥିରେ ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବାଦ୍‌ ଦିଆଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏପରି ଅସଙ୍ଗତି ହୋଇଛି ବୋଲି ସଂଘ କହିଛି।

ସମସ୍ତଙ୍କ ପାଇଁ ଏକପ୍ରକାର ନିଯୁକ୍ତି ପ୍ରକ୍ରିୟା ଓ ଓଆର୍‌ଭି ଆକ୍ଟ ଲାଗୁ ହୋଇଥିବା ବେଳେ ସରକାରୀ ଉଚ୍ଚବିଦ୍ୟାଳୟ ଏନ୍‌ପିଏସ୍‌ ଶିକ୍ଷକଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସଂଘ ବିରୋଧ କରିଛି। ତେଣୁ ୨୦୦୪ ମସିହାରୁ ୨୦୨୨ ମସିହା ମଧ୍ୟରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ କ୍ଷେତ୍ରରେ ଏହି ବିଜ୍ଞପ୍ତି ଓ ନିୟମକୁ ଲାଗୁ କରିଥିବା ପାଇଁ ସଂଘ ଦାବି କରିଛି। ଏନେଇ ସଂଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ମଧ୍ୟ ଦିଆଯାଇଥିଲା। ୩ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ୨୦ତାରିଖରେ ସଂଘ ଆନ୍ଦୋଳନକୁ ଓହ୍ଲାଇବା ସହ ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର