ପାଲୁଣିପଡ଼ାରେ ବଧୂହତ୍ୟା ଅଭିଯୋଗ

ରିଆମାଳ: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଲୁଣିପଡ଼ା ଗ୍ରାମରେ ଏକ ବଧୁହତ୍ୟା ହୋଇଥିବା ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୃତ ଯୁବତୀଜଣକ ହେଲେ ପାଲୁଣୀପଡ଼ା ଗ୍ରାମର ଗୋଗୁଳା ଧରୁଆଙ୍କ ପତ୍ନୀ ତିଳୋତ୍ତମା ନାଏକ। ତିଳୋତ୍ତମାଙ୍କ ନାକରୁ ରକ୍ତସ୍ରାବ ହେଉଥିବାରୁ ତା’ଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୂର ପିଟିପିଟି ମାରି ଦେଇଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ତା’ଙ୍କ ପିତା କୁଣ୍ଢେଇଗୋଳା ଥାନା ରତାଖଣ୍ଡି ଗ୍ରାମର ଗିରିଧାରୀ ନାଏକ। ଅଭିଯୋଗ ଆଧାରରେ ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ପହଞ୍ଚି ତଦନ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୭ ବର୍ଷ ତଳେ ଗିରିଧାରୀ ନିଜ ଝିଅ ତିଳୋତ୍ତମାଙ୍କୁ ଗୋଗୁଳାଙ୍କ ସହ ବିବାହ ଦେଇଥିଲେ। ପୂର୍ବରୁ ଗୋଗୁଳା ତାଙ୍କ ଝିଅକୁ ନିର୍ଯାତନା ମଧ୍ୟ ଦେଉଥିଲେ। ତେବେ ମଙ୍ଗଳବାର ଦିନ ୧୨ଟା ସମୟରେ ଗିରିଧାରୀଙ୍କୁ ଫୋନ୍ କରି ତାଙ୍କ ଝିଅର ମୃତ୍ୟୁ ହୋଇଛି ବୋଲି କହିଥିଲେ ଜ୍ବାଇଁ ଗୋଗୁଳା। ଏହାପରେ ଗିରିଧାରୀ ସପରିବାର ଆସି ଝିଅର ଶାଶୂଘରେ ପହଞ୍ଚିଥିଲେ। ତିଳୋତ୍ତମାଙ୍କୁ ଜ୍ବାଇଁ ଗୋକୁଳା ସମେତ ଶାଶୂ ସୁନାଫୁଲ ଧରୁଆ ଓ ଶ୍ବଶୂର ମୁରଲୀ ଧରୁଆ ମିଶି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗିରିଧାରୀ। ରିଆମାଳ ଥାନା ପକ୍ଷରୁ ଏକ ମାମଲା ରୁଜୁକରି ଦେବଗଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଶ୍ବଶୂର ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଗୋଗୁଳାକୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ତିଳୋତ୍ତମାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧିତ ଖବର