ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଜାଲପାଲି ଗାଁରେ ପ୍ରଧାନଶିକ୍ଷକ ଆସୁ ନଥିବା ଦର୍ଶାଇ ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି। ଫଳରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିଥିଲେ।
ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୧ ତାରିଖ ଦିନ ପ୍ରଧାନଶିକ୍ଷକ ଲକ୍ଷ୍ମୀ ବାଗ ଏକ ଛୁଟି ଦରଖାସ୍ତ ଅନ୍ୟ ଲୋକଙ୍କ ହାତରେ ପଠାଇ ଦେଇଥିଲେ।
ସେଥିରେ ଦିନକର ଛୁଟି ପାଇଁ ଉଲ୍ଲେଖ ଥିବା ବେଳେ ଆଉ ଦୁଇ ଦିନ ବି ଆସି ନଥିଲେ। ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ ଶିକ୍ଷକ ଉପସ୍ଥିତ ନଥିବାରୁ ପିଲାମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗାଁ ଲୋକେ ଶନିବାର ସକାଳୁ ସ୍କୁଲରେ ତାଲା ମାରିଥିଲେ। ସେହିପରି ପ୍ରଧାନଶିକ୍ଷକ ଶ୍ରୀ ବାଗ ପ୍ରାୟତଃ ସ୍କୁଲକୁ ଆସୁ ନଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସୂଚନା ପାଇ ଏବିଇଓ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ତାଗିଦ କରିଥିବା ସହ ସ୍କୁଲ ଖୋଲିବାକୁ ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ।