ଚଂଚକତା କରି ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ, ଧାରଣା

ଖୋର୍ଦ୍ଧା: ଭୁବନେଶ୍ୱର ଘାଟିକିଆ ମୌଜାରେ ୧୦ଟି ଗରିବ ଆଦିବାସୀଙ୍କ ଜମିକୁ ଚଂଚକତା କରି କେତେକ ଜମି ମାଫିଆ ଓ ବିଲଡର ହଡ଼ପ କରିନେଇଥିବା ଅଭିଯୋଗ କରି ଆଜି ଶତାଧିକ ଦଳିତ ଓ ଆଦିବାସୀ ପ୍ରତିବାଦ ରାଲି ଆୟୋଜନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ଶାଖା ନେତୃତ୍ୱରେ ଆଜି ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଆଦିବାସୀମାନେ ହାତରେ ପ୍ଲାକାଡର୍୍ ଓ ନାରାବାଜି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଂଗଠନର ଅଭିଯୋଗ ଅନୁସାରେ, ବାରମାଣିଆ ଗାଁର ୧୦ଟି ଆଦିବାସୀ ପରିବାରଙ୍କୁ ଚଂଚକତା କରି ସେମାନଙ୍କ ୧ ଏକର ୨୦ ଡେସିମଲ ଜମିକୁ ନିଶଥ ନନ୍ଦ, ପ୍ରଦୀପ୍ତ କୁମାର ମହାପାତ୍ର ଆଦି ବିଲଡରମାନେ ନେଇଯାଇଛନ୍ତି । ଆଦିବାସୀମାନେ ଅନୁସୂଚିତ ବର୍ଗର ସହର ସମ୍ପ୍ରଦାୟର ଥିବା ବେଳେ ସେମାନଙ୍କୁ ସାଧାରଣ ବର୍ଗର ସଅର ସମ୍ପ୍ରଦାୟ ଦର୍ଶାଇ ୨୦୦୬-୦୭ ଔ ୨୦୦୭-୦୮ରେ ଏଭଳି ଜମି ହରଣଚାଳ କରିଛନ୍ତି । କେବଳ ଏହାନୁହେଁ ଉକ୍ତ ବିଲଡରମାନେ ଆଦିବାସୀଙ୍କ ୨୯୩ ଡେସିମଲ ଜମିକୁ ବେଆଇନ ଭାବେ ରାସ୍ତା ପାଇଁ ସରକାରଙ୍କୁ ଦାନସୂତ୍ରରେ ଦେଇଦେଇଛନ୍ତି । ଏହି ସମସ୍ତ ଘଟଣା ଓଏଲ୍ଆର ଆଇନର ଉଲ୍ଲଂଘନ କରୁଥିବା ବେଳେ ଏନେଇ ଭରତପୁର ଥାନାରେ ମାମଲା ନଂ ୧୫୦/୨୨ରେ ସମ୍ପୃକ୍ତ ବିଲଡରଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଉପରେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନାହିଁ । ଏଣୁ ୭ ଦିନ ମଧ୍ୟରେ ଆଦିବାସୀଙ୍କ ଉକ୍ତ ଜମିକୁ ବିଲଡରଙ୍କ କବ୍ଜାରୁ ମୁକ୍ତ କରି ଆଦିବାସୀଙ୍କୁ ଫେରାଇଦେବା, ବିଲଡରଙ୍କ ବିରୋଧରେ ମାମଲା ରୁଜୁ କରିବା ଆଦି ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପୀତବାସ ନାୟକ, ରାଜ୍ୟ ମହିଳା ସମ୍ପାଦିକ ଟିକିନା ପରିଡ଼ା, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ଖୋର୍ଦ୍ଧା ସଭାପତି ଅଶୋକ ଭୋଇ ପ୍ରମୁଖଙ୍କ ସହ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର