ପୁରୀ: ଚଳିତ ବର୍ଷର ରଥଯାତ୍ରା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ପାର୍ଶ୍ବ ଦେବଦେବୀ। ପୂଜିତ ଏହି ପାର୍ଶ୍ବ ଦେବଦେବୀ ମୂର୍ତ୍ତଗୁଡ଼ିକୁ ସମ୍ମାନ ଦେବା ବଦଳରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର କାର୍ଯ୍ୟାଳୟର ପାର୍କିଂରେ ଏଣେ ତେଣେ ଫିଙ୍ଗି ଦେଇଛି। ଫଳରେ ଯେଉଁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସୁଛନ୍ତି, ସେମାନେ ପାର୍ଶ୍ବ ଦେବଦେବୀଙ୍କ ଉପରେ ଚଢ଼ି ଯା’ଆସ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ସାଇକେଲ୍‌, ବାଇକ୍‌ ସବୁ ପାର୍ଶ୍ବ ଦେବଦେବୀଙ୍କ ଉପରେ ପାର୍କିଂ ହୋଇଛି। ଏଭଳି ଦୃଶ୍ୟ ଭକ୍ତ ମହଲକୁ ଆନ୍ଦୋଳିତ କରିଛି। ଭଗବାନଙ୍କ ପ୍ରତି ଏଭଳି ଅସମ୍ମାନକୁ ଭକ୍ତମାନେ ଦୃଢ଼ ବିରୋଧ କରିଛନ୍ତି।
ପ୍ରତିବର୍ଷ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥରେ ନିମ୍ବ କାଠରେ ନିର୍ମିତ ୨୭ ପାର୍ଶ୍ବ ଦେବଦେବୀ(ପ୍ରତି ରଥରେ ୯ଜଣ ପାର୍ଶ୍ବ ଦେବଦେବୀ)ଙ୍କ ବିଗ୍ରହ ସ୍ଥାପନ କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପାର୍ଶ୍ବ ଦେବଦେବୀ ହେଲେ ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର।

Advertisment

ଅଦରକାରୀ ବସ୍ତୁ ଭାବେ ପାର୍କିଂରେ ଫିଙ୍ଗିଦେଲେ
କେଉଁଠି ସାଇକେଲ ତଳେ ତ' କେଉଁଠି ଗାଡ଼ି ତଳେ ପଡ଼ିଛନ୍ତି
ପାଦରେ ଚଢ଼ି ଯାଉଛନ୍ତି କର୍ମଚାରୀ

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ପାର୍ଶ୍ବ ଦେବଦେବୀ ହେଲେ, ପ୍ରଳମ୍ବାରୀ ମହାଦେବ, ବାଇଶି ଭୂଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ବର, ଷଡ଼ାନନ କାର୍ତ୍ତିକେଶ୍ବର , ମଧୁ କୈଟଭ ଓ ଅନନ୍ତ ବାସୁଦେବ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ପାର୍ଶ୍ବ ଦେବଦେବୀ ହେଲେ, ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ମତାନ୍ତରେ ଜୟଦୁର୍ଗା), ଉମା(ମତାନ୍ତରେ ବନଦୁର୍ଗା), କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା। ପ୍ରତିବର୍ଷ ପାର୍ଶ୍ବ ଦେବଦେବୀଙ୍କ ବିଗ୍ରହ ନିର୍ମାଣ କରାଯାଏନି। ପ୍ରତି ନବକଳେବର ସମୟରେ ପାର୍ଶ୍ବ ଦେବଦେବୀଙ୍କ ନୂଆ ବିଗ୍ରହ ନିର୍ମାଣ କରାଯାଇଥାଏ। ଶେଷ ଥର ବି ୨୦୧୫ ନବକଳେବର ସମୟରେ ନିମ୍ବ କାଠରେ ପାର୍ଶ୍ବ ଦେବଦେବୀଙ୍କ ବିଗ୍ରହ ନିର୍ମାଣ କରାଯାଇଥିଲା। କିନ୍ତୁ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏହି ବିଗ୍ରହଙ୍କୁ ଚିତ୍ରକାର ସେବକମାନେ ରଙ୍ଗ କରିଥାନ୍ତି। ଆବଶ୍ୟକସ୍ଥଳେ ରୂପକାର ସେବକମାନଙ୍କ ଦ୍ବାରା ମରାମତି କରାଯାଇଥାଏ। କିନ୍ତୁ ଦୁର୍ଭାଗ୍ୟ, ଚଳିତ ବର୍ଷର ରଥଯାତ୍ରା ସରିବା ପରେ ଏହି ପାର୍ଶ୍ବ ଦେବଦେବୀଙ୍କୁ ଅଦରକାରୀ ବସ୍ତୁ ଭାବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାର୍କିଂରେ ଫିଙ୍ଗି ଦିଆଯାଇଛି। ପାର୍ଶ୍ବ ଦେବଦେବୀ ପାର୍କିଂର କେଉଁ କୋଣରେ ପଡ଼ିଛନ୍ତି ତ କେଉଁଠି ଅଳନ୍ଧୁ ଭିତରେ ଫିଙ୍ଗି ଦିଆଯାଇଛି।