ରାଉରକେଲା: ଇସ୍ପାତସହରରେ ପୁଣି ଏକ ଲୋମହର୍ଷଣକାରୀ ଅପରାଧ ଘଟିଛି। ଚପଲ କିଣିବାକୁ ଆସିଥିବା ଦୁଇ ନାବାଳିକାଙ୍କୁ ଜୋରଜବରଦସ୍ତ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି ୭ ଜଣ ଯୁବକ। ପାଖାପାଖି ୩ ଘଣ୍ଟା ଧରି ଅଭିଯୁକ୍ତମାନେ ଏହି ପୈଶାଚିକ କାଣ୍ଡ ଘଟାଇଥିଲେ। ଗୁରୁତର ଅସୁସ୍ଥ ଦୁଇ ପୀଡ଼ିତା ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ରାଉରକେଲା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ବିର୍ସାମୁଣ୍ଡା ଛକଠାରୁ ମାତ୍ର ଶହେ ମିଟର ଦୂର ବିର୍ସା ମୁଣ୍ଡା ଆଥ୍‌ଲେଟିକ୍ ଷ୍ଟାଡିୟମ୍ ପାଚେରି କଡ଼ ଅନ୍ଧାରୁଆ ସ୍ଥାନରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।

Advertisment

ଝାଡ଼ଖଣ୍ଡ ରାଞ୍ଚିର ମୂଳବାସିନ୍ଦା ଦୁଇ ପୀଡ଼ିତା (୧୪ ଓ ୧୫ ବର୍ଷ) ରାଉରକେଲା ହମିରପୁର ଅଞ୍ଚଳରେ ଥିବା ବଡ଼ଭଉଣୀଙ୍କ ପାଖରେ ରୁହନ୍ତି। ଜଣେ ପୀଡ଼ିତା (୧୪) ବାପା-ମା’ ଛେଉଣ୍ଡ ହୋଇଥିବା ବେଳେ ରାଉରକେଲାରେ ରହୁଥିବା ନିଜ ବଡ଼ଭଉଣୀଙ୍କ ପାଖରେ ୭ ବର୍ଷ ହେଲା ରହିଆସୁଛନ୍ତି। ଗରିବ ପରିବାରର ଅନ୍ୟ ପୀଡ଼ିତା ଜଣକ ତାଙ୍କର ଭଲ ସାଙ୍ଗ ହୋଇଥିବାରୁ ତାଙ୍କୁ ବି ଆଣି ଏଠାରେ ଭଉଣୀ ଘରେ ରଖିଥିଲେ। ଶନିବାର ଅପରାହ୍ନରେ ଦୁଇ ସାଙ୍ଗ ବିର୍ସା ଛକକୁ ଚପଲ କିଣିବାକୁ ଆସିଥିଲେ। କିଛି ସମୟ ବୁଲାବୁଲି କରି ଚପଲ କିଣିବା ପରେ ସନ୍ଧ୍ୟା ପ୍ରାୟ ୫.୩୦ରେ ବିର୍ସା ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ଏତିକିବେଳେ ଦୁଇଜଣ ଅଭିଯୁକ୍ତ ଏକ ଅଟୋରେ ଆସି ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନାବାଳିକାଙ୍କୁ କମ୍‌ ଭଡ଼ାରେ ଘରେ ଛାଡ଼ିଦେବାକୁ କହିଥିଲେ। ତେବେ ସେମାନେ ମନା କରିବାରୁ ଅଭିଯୁକ୍ତଦ୍ବୟ ମିଛ ଆଶ୍ବାସନା ଦେଇଥିଲେ। ତଥାପି ଦୁଇଝିଅ ରାଜି ନହେବାରୁ ଅଭିଯୁକ୍ତମାନେ ଜୋରଜବରଦସ୍ତ ସେମାନଙ୍କୁ ଅଟୋ ଭିତରକୁ ଟେକି ନେଇ ମୁହଁ ବନ୍ଦ କରିଦେଇଥିଲେ।

ପରେ ସେମାନଙ୍କୁ ଶହେ ମିଟର ଦୂରରେ ଥିବା ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ କଡ଼ ଗଛବୁଦାରେ ଭର୍ତ୍ତି ପରିତ୍ୟକ୍ତ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତଦ୍ବୟ ନିଜ ସାଙ୍ଗମାନଙ୍କୁ ଡାକି ତିନି ଘଣ୍ଟାଧରି ଗଣଦୁଷ୍କର୍ମ କରିଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ସମସ୍ତ ୭ ଜଣ ଯୁବକ ମଦ ପିଇବା ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ପୀଡ଼ିତାଦ୍ବୟ ଜୀବନବିକଳରେ ରାସ୍ତା ଉପରକୁ ଦୌଡ଼ି ଆସିଥିଲେ। ଫଳରେ ଅଭିଯୁକ୍ତମାନେ ଧରାପଡ଼ିଯିବା ଆଶଙ୍କା କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତଙ୍କ କବଳରୁ ରକ୍ଷା ପାଇବା ପରେ ପୀଡ଼ିତାଦ୍ବୟ ନିଜ ଭଉଣୀଙ୍କୁ ଜଣାଇଥିଲେ। ଭଉଣୀଙ୍କ ନିର୍ଦ୍ଦେଶକ୍ରମେ ମାଲଗୋଦାମରେ ଜଣେ ସଂପର୍କୀୟଙ୍କ ଘରେ ଉଭୟ ରାତ୍ରିଯାପନ କରିଥିଲେ। ରବିବାର ସକାଳେ ଏ ନେଇ ପୀଡ଼ିତାଙ୍କ ପରିବାର ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଅଟୋ ଚାଳକ ହୋଇଥିବା ବେଳେ ଅନ୍ୟଦୁଇ ଜଣ ପିକ୍‌ଅପ୍‌ ଚାଳକ। ସମସ୍ତେ ଗାନ୍ଧୀରୋଡ୍‌ ଅଞ୍ଚଳରେ ହୋଇଥିବା କୁହାଯାଉଛି।