ଏସ୍‌ସିବିରେ ରାଜ୍ୟର ପ୍ରଥମ ଆଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ : ୩୦ଲକ୍ଷର ଅସ୍ତ୍ରୋପଚାର ଏବେ ମାଗଣାରେ

କଟକ : ରାଜ୍ୟର ପ୍ରଥମ ଆଲୋଜେନିକ ପଦ୍ଧତିର ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର ହେମାଟୋଲୋଜି ବିଭାଗରେ କରାଯାଇଛି। ପୂର୍ବରୁ ୮୫ ଥର ବିଏମ୍‌ଟି କରାଯାଇ ବିଭାଗ ପକ୍ଷରୁ ରେକର୍ଡ କରାଯାଇଥିଲାବେଳେ ପ୍ରଥମଥର ପାଇଁ ଆଲୋଜେନିକ ପଦ୍ଧତିରେ ବିଏମ୍‌ଟି କରାଯାଇଛି। ଏଭଳି ଚିକିତ୍ସା ପାଇଁ ଅନ୍ୟ ରାଜ୍ୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟ ହେଉଥିବାବେଳେ ରାଜ୍ୟ ସରକାରଙ୍କ ସହଯୋଗରେ ଏସ୍‌ସିବିରେ ସ˚ପୂର୍ଣ୍ଣ ମାଗଣାରେ ରୋଗୀଙ୍କୁ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

ଢେଙ୍କାନାଳ କାମାକ୍ଷା ଥାନା ଅନ୍ତର୍ଗତ ବେଢାପାଳ ଗ୍ରାମର ଅଭିରାମ ଜେନା (୨୧) ‘ବି ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ ଲ୍ୟୁକେମିଆ’ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ୨୦୧୭ ଅକ୍ଟୋବର ୪ ତାରିଖଠୁ ରକ୍ତ କର୍କଟର ଏହି ପ୍ରକାରର ରୋଗର ଚିକିତ୍ସା ଏସ୍‌ସିବି ମେଡିକାଲ ହେମାଟୋଲୋଜି ବିଭାଗରେ ଆରମ୍ଭ କରାଯାଇଥିଲା। ଆଇସିଆଇସିଏଲ୍‌ଇ ପ୍ରୋଟୋକଲ ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଇଥିଲାବେଳେ ଏହି ପଦ୍ଧତିରେ ପ୍ରଥମ ୪ ମାସ ଉଚ୍ଚମାନର କେମୋଥେରାପି ଦିଆଯାଇଥିଲା। ଏବ˚ ଅଢେଇ ବର୍ଷ ଧରି ମେଣ୍ଟେନାନ୍ସ ଥେରାପି କରାଯାଇଥିଲା। ୨୦୨୦, ମେ ୧୬ ତାରିଖରେ ତାଙ୍କର ଚିକିତ୍ସା ଶେଷ ହୋଇଥିଲା। ଏତେସବୁ ଚିକିତ୍ସା ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଉପଲବ୍ଧ କରାଯାଇଥିଲା। କିନ୍ତୁ ପୁଣିଥରେ ଏହି ରକ୍ତ କର୍କଟ ତାଙ୍କ ଦେହକୁ ଫେରିଥିଲା। ଡାକ୍ତରୀ ଦଳଙ୍କ ସହିତ ଆଲୋଚନା କରିବା ପରେ ଉଚ୍ଚମାନର ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରୋଗର ଭୟାବହତା ଅଧିକ ଥିବାରୁ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) କରାଯିବା ଆବଶ୍ୟକ ଥିଲା। କିନ୍ତୁ ତାଙ୍କ କ୍ଷେତ୍ରରେ ଆଲୋଜେନିକ ବିଏମ୍‌ଟି କରାଯିବା ଆବଶ୍ୟକତା ରହିଥିଲା। ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ପାଖାପାଖି ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିପାଇଁ ଅଭିରାମଙ୍କ ସମ୍ବଳ ନଥିଲା। ଏସସିବିରେ ଡାକ୍ତରଙ୍କ ଉଦ୍ୟମ କ୍ରମେ ତାଙ୍କର ଏହି ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟାର ଆରମ୍ଭ ହୋଇଥିଲା। ତାଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ଜେନାଙ୍କ ଅସ୍ଥିମଜ୍ଜା ଅଭିରାମଙ୍କ ସହ ଖାପ ଖାଇଥିଲା। ଗତ ୨୧ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କଠୁ ଷ୍ଟେମ୍‌ ସେଲ୍‌ ସ˚ଗ୍ରହ କରାଯାଇ ଅଭିରାମଙ୍କ ଦେହରେ ଛଡ଼ା ଯାଇଥିଲା। କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ପରେ ଏବେ ଏହି ଚିକିତ୍ସା କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସେ ପର୍ଯ୍ୟନ୍ତ ରୋଗୀଙ୍କୁ ରକ୍ତର ବିଭିନ୍ନ ଥେରାପି ଦିଆଯିବ।

ଏହି ବ୍ୟୟବହୁଳ ଚିକିତ୍ସାକୁ ରୋଗୀଙ୍କୁ ମାଗଣାରେ ଯୋଗାଇ ଦେବାରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଅତିରିକ୍ତ ମୁଖ୍ୟ ସଚିବ ପି.କେ. ମହାପାତ୍ର, ଡିଏମ୍‌ଇଟି ପ୍ରଫେସର ଡାକ୍ତର ସି.ବି.କେ. ମହାନ୍ତି, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ଉଦ୍ୟମ ରହିଥିବା ବେଳେ ଚିକିତ୍ସା ଦିଗରେ ସହାୟତା ପ୍ରଦାନ କରିଥିବା ଟ୍ରାନ୍ସଫ୍ୟୁଜନ ମେଡିସିନ୍‌, ପଲ୍‌ମୁନାରି ମେଡିସିନ୍‌, ଆନାସ୍ଥେସିଓଲୋଜି, ନେଫ୍ରୋଲୋଜି, କାର୍ଡିଓଲୋଜି ବିଭାଗର ସହାୟତା ଅଧିକ ଥିବାରୁ ହେମାଟୋଲୋଜି ବିଭାଗ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଛି।

ସମ୍ବନ୍ଧିତ ଖବର