ଭୁବନେଶ୍ବର: ୨୦୦୯ ମସିହାରେ ପାରାଦୀପ ବନ୍ଦରରେ ବ୍ଲାକ୍ରୋଜ ଜାହାଜ ବୁଡ଼ି ଯାଇଥିଲା। ଏଥିରେ ବେଆଇନଭାବେ ଲୁହାପଥର ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା। ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ପାଇଁ ତତ୍କାଳୀନ ରାଜ୍ୟ ସରକାର ସହଯୋଗ ନ କରିବାରୁ ତଦନ୍ତ ଆଗେଇ ପାରିଲା ନାହିଁ। ଏହି ସମୟରେ ବିରୋଧୀ ଦଳରେ ଥିବା ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା। ଏପରିକି ଚଳିତ ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣା ଉଠାଇ ବିଜେଡି ସରକାରଙ୍କୁ ଘେରିଥିଲେ। ତେଣୁ ଏବେ ସରକାରରେ ଥିବା ବିଜେପି ଏହାର ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି ହୋଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଲେ, ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାରେ ହାଇକୋର୍ଟରେ ଦୁଇଟି ମାମଲା ହୋଇଥିଲା। ଜଣେ ଆବେଦନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶୁଶାଣିରେ ଉପସ୍ଥିତ ହୋଇ ନ ଥିଲେ। ଫଳରେ ମାମଲା ଆଗେଇ ପାରି ନ ଥିଲା। ତେବେ ୨୦୨୩ ମସିହାରେ ହାଇକୋର୍ଟରେ ପୁନର୍ବାର ଏକ ପିଟିସନ ଦାଖଲ ହୋଇଥିଲା। ଗତ ଏପ୍ରିଲ ମାସର ଶୁଣାଣିରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ସିବିଆଇ ଏହାର ତଦନ୍ତ କରିବା ପାଇଁ ସମ୍ମତି ଜଣାଇଛନ୍ତି। ତେଣୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ। ଜାହାଜ ବୁଡ଼ି ଯିବା ପରେ ସାମୁଦ୍ରିକ ପରିବେଶ ପ୍ରତି ବିପଦ ସୃଷ୍ଟି ହେବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ଦ୍ବାରା ସମୁଦ୍ରରୁ ତେଳ କାଢ଼ିବା ପାଇଁ ପ୍ରାୟ ୧୮କୋଟି ଖର୍ଚ୍ଚ ହୋଇଥିଲା। ତେଣୁ ଲୁହାପଥର ଚୋରା ଚାଲାଣ ଘଟଣାର ସତ ସାମ୍ନାକୁ ଆସିବା ଦରକାର।
ସରକାରଙ୍କ ନିକଟରେ ଦାବି କଲା ‘ଓଡ଼ିଶା ସୂଚନା ଅଧିକାର ଅଭିଯାନ’
ଚାଟାର୍ଡ ବିମାନରେ କିଏ ବୁଲିଛି ତଥ୍ୟ ନ ଦେଲେ ୨୪ରୁ ଆମରଣ ଅନଶନ
ଲକ୍ଷ୍ମୀ ବସ୍ କିଣାରେ ୮ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
ସେହିପରି କୋଭିଡ୍ ସମୟରେ ରାଜ୍ୟରେ ଜଣେ ଅଧିକାରୀ ଚାର୍ଟଡ୍ ବିମାନ ବୁଲିଥିଲେ। ବିଜେଡି ନେତା ଭି.କେ ପାଣ୍ଡିଆନ ଏହି ଚାର୍ଟଡ୍ ବିମାନରେ ବୁଲିଥିବା ସନ୍ଦେହ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କେଉଁ ଅଧିକାରୀଙ୍କୁ ଏହି ବିମାନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ତାହାର ତଥ୍ୟ ଦିଆଯାଉନାହିଁ। ଏ ନେଇ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ମଧ୍ୟ ଅଭିଯାନ ପକ୍ଷରୁ ପତ୍ର ଲେଖାଯାଇଛି। ତେଣୁ ଆସନ୍ତା କିଛିଦିନ ଭିତରେ ତଥ୍ୟ ପ୍ରଦାନ କରା ନ ଗଲେ ୨୪ତାରିଖରୁ ଖାରବେଳ ଭବନ ଆଗରେ ଆମରଣ ଅନଶନ କରାଯିବ। ଚାର୍ଟଡ ବିମାନରେ ବୁଲିବା ଘଟଣାର ସ୍ବତନ୍ତ୍ରଭାବେ ଏକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।
ଶ୍ରୀ ପ୍ରଧାନ ଆହୁରିମଧ୍ୟ କହିଥିଲେ ଯେ ରାଜ୍ୟରେ ଲକ୍ଷ୍ମୀ ବସ୍ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ବସ୍ କିଏ କିଣିଛି, ଏହାକୁ କିଏ ଚଳାଉଛି ତାହା କେହି ଜାଣି ନାହାନ୍ତି। ଏ ସଂପର୍କରେ ବିଭାଗକୁ ୬ଟି ଆରଟିଆଇ ଆବେଦନ ହୋଇଥିଲେ ହେଁ କୌଣସି ତଥ୍ୟ ଦିଆଯାଉନାହିଁ। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିରେ ୮ଶହ କୋଟିର ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି। ଗୋଟିଏ ଗୋଟିଏ ବସ୍ କିଣାରେ ୧୦-୧୫ଲକ୍ଷ ଟଙ୍କା ଲୁଟ୍ ହୋଇଛି। ତେଣୁ ଏକ ଏସ୍ଆଇଟି ଗଠନ କରାଯାଇ ଲକ୍ଷ୍ମୀ ବସ୍ କିଣାର ତଦନ୍ତ ହେବା ଉଚିତ୍। ସରକାର ଯଦି ଏହାକୁ ନ କରନ୍ତି ତାହାଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ପାକଳ, ସର୍ବେଶ୍ବର ବେଉରା, ପ୍ରକାଶ ଚନ୍ଦ୍ର ଦାସ, ସୁଧୀର ମହାନ୍ତି ଓ ସଞ୍ଜୟ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/black-rose.jpg)