ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲାକୁ ନଜରରେ ରଖି ଶିଳ୍ପାନୁଷ୍ଠାନ ପାଇଁ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା କମ୍ପାନିମାନଙ୍କୁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତି ପାଇଁ ଅନୁମତି ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ଶିଳ୍ପାନୁଷ୍ଠାନ ଏହି ଅନୁମତି ପାଇଛି। ଆଗାମୀ ଦିନରେ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡ଼ିକ ମଧ୍ୟ ଏଥିରେ ସାମିଲ ହେବେ ବୋଲି କୁହାଯାଉଛି। ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କଳିଙ୍ଗ ନଗର ଟାଟା ଷ୍ଟିଲକୁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତି ପାଇଁ ଅନୁମତି ଦିଆଯାଇଛି। ଯାହା ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲକୁ ଯୋଗାଣ ହେବ। ପୂର୍ବରୁ ମଧ୍ୟ ରାଜ୍ୟରେ ପ୍ରାୟ ୧୦ଜଣ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତକାରୀ ରହିଛନ୍ତି। ତେବେ ଅସାଧାରଣ ପରିସ୍ଥିତିରେ ଗୁରୁତର ରହିଥିବା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍ର ଆବଶ୍ୟକତା ପଡ଼ିଥାଏ। ତେଣୁ ଏହାକୁ ନଜରରେ ରଖି ଶିଳ୍ପାନୁଷ୍ଠାନଗୁଡ଼ିକୁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ କରିବା ଲାଗି ଅନୁମତି ଦିଆଯାଇଛି। ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଶ୍ରୀମତୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କରୋନାକୁ ନେଇ ରାଜ୍ୟରେ ସାନିଟାଇଜର ଓ ମାସ୍କ ସଂକଟ ଦେଖା ଦେଇଥିଲା। ବଜାରରୁ ହଠାତ୍ ସାନିଟାଇଜର ଓ ମାସ୍କ ଉଭାନ୍ ହୋଇଯାଇଥିଲା। ଏହାସହ ଦେଶବ୍ୟାପୀ ଲକ୍ଡାଉନ୍ ହେବାରୁ ବାହାର ରାଜ୍ୟରୁ ସାନିଟାଇଜର ଓ ମାସ୍କ ଆସିବା କଷ୍ଟକର ହୋଇଥିଲା। ଏହାକୁ ନଜରରେ ରଖି ରାଜ୍ୟର ସ୍ଥାନୀୟ ବଟଲିଂ କମ୍ପାନିମାନଙ୍କୁ ସାନିଟାଇଜର ପ୍ରସ୍ତୁତ କରିବା ଲାଗି ଅନୁମତି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩ଟି କମ୍ପାନି ସାନିଟାଇଜର ପ୍ରସ୍ତୁତ କରିବା ଲାଗି ଅନୁମତି ପାଇଛନ୍ତି। ଏହି କମ୍ପାନିମାନେ ରାଜ୍ୟ ସରକାରଙ୍କୁ ସାନିଟାଇଜର ଯୋଗାଇବା ଲାଗି କୁହାଯାଇଛି। ସେହିପରି ମାସ୍କର ଅଭାବ ଦୂର କରିବା ଲାଗି ସ୍ଥାନୀୟ ଏକ କେମିଷ୍ଟଙ୍କୁ ମାସ୍କ ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହିତ କରାଯାଇଥିଲା ଓ ସଂପୃକ୍ତ କେମିଷ୍ଟ ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହାସହ ଆଉ ଜଣେ କେମିଷ୍ଟ ମଧ୍ୟ ମାସ୍କ ପ୍ରସ୍ତୁତ କରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଶିଳ୍ପାନୁଷ୍ଠାନକୁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତି ଅନୁମତି
/sambad/media/post_attachments/wp-content/uploads/2020/04/oxygen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)