ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ : ଭୋଇ ସର୍ଦ୍ଦାରଙ୍କୁ ମିଳିଲା ଅନୁମତିପତ୍ର

ପୁରୀ : କରୋନା କଟକଣା ଭିତରେ ରଥ ନିର୍ମାଣର ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ସହ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେଉଥିବାରୁ ଏ ସଂପର୍କରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ଓ ଚନ୍ଦନଯାତ୍ରା ପାଇଁ‌ କ୍ଷେତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି।

ଚିଠି ଅନୁଯାୟୀ, ପୂର୍ବରୁ ଭୋଇ ସର୍ଦ୍ଦାରଙ୍କ ସହ ଅନ୍ୟମାନେ ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କ ଚାପ ଖେଳ ପାଇଁ ନରେନ୍ଦ୍ରର ଗଭୀର ଜଳରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କୁ ଉପରକୁ ଉଠାଇଥିଲେ। ଏହାପରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କୁ ମିଶାଇ ୫ ଡଙ୍ଗା ସଜେଇ ହେବା ପର୍ବ ଆରମ୍ଭ ହୋଇଛି। ସେପଟେ ଚନ୍ଦନଯାତ୍ରା ସମୟରେ ମହାପ୍ରଭୁ ବଡ଼ଦାଣ୍ଡ ଦେଇ ନରେନ୍ଦ୍ରକୁ ଯାତ୍ରା କରିବେ। ପୁନର୍ବାର ‌ସେହି ବାଟ ଦେଇ ଶ୍ରୀମନ୍ଦିରକୁ ଫେରିବେ। ଏଥିପାଇଁ ବଡ଼ଦାଣ୍ଡରେ ଛାମୁଣ୍ଡିଆ ତିଆରି କରିବାକୁ କୁହାଯାଇଛି। ତାତିରୁ ରକ୍ଷା ପାଇଁ ରାଳ ବୋଳିବାକୁ କୁହାଯାଇଛି। ରଥଖଳାକୁ ବି ପ୍ରସ୍ତୁତ କରିବାକୁ କୁହାଯାଇଛି। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଟି ୧୨ ଫୁଟିଆ ଧଉରା କାଠ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ପୂଜାର୍ଚ୍ଚନା ହେବା ପରେ ସୁନାର କୁରାଢ଼ୀ ସ୍ପର୍ଶ କରାଇ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯିବ।

ସମ୍ବନ୍ଧିତ ଖବର