ଭତ୍ତା ହଡ଼ପ ମାମଲା: ୨ ପୂର୍ବତନ ପିଇଓ, ପୂର୍ବତନ ସରପଞ୍ଚଙ୍କୁ ୩ ବର୍ଷ ଜେଲ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଅଁରପୁର ପଞ୍ଚାୟତର ବହୁଚର୍ଚ୍ଚିତ ଭତ୍ତା ଟଙ୍କା ହଡ଼ପ ମାମଲାର ବୁଧବାର ଦିନ ରାୟ ପ୍ରକାଶ ପାଇଛି। କେନ୍ଦୁଝର ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଏହି ମାମଲାର ବିଚାର କରି ଦୁଇଜଣ ପୂର୍ବତନ ପିଇଓ ଏବଂ ପୂର୍ବତନ ସରପଞ୍ଚଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୬ରେ ଭଅଁରପୁର ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବାଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ବିଡିଓ ସୁଶାନ୍ତ କୁମାର ପତି ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଏସ୍‌ଇଓ ଶୁମ୍ଭୁନାଥ ରାଉତ ଘଟଣାର ତଦନ୍ତ କରିବାପରେ ଭତ୍ତା ବାବଦକୁ ୩ ଲକ୍ଷ ୬୮ ହଜାର ୯ଶହ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ। ସେ ତଦନ୍ତ ରିପୋର୍ଟ ବିଡିଓଙ୍କୁ ଦେଇଥିଲେ। ୧୯ଜଣ ମୃତ ବ୍ୟକ୍ତିଙ୍କୁ ଜୀବିତ, ୭ଜଣଙ୍କ ଭୁଲ୍‌ ଠିକଣା ଓ ୪୯ଜଣଙ୍କ ନାମକୁ ଦୁଇଥର ଲେଖାଏଁ ତାଲିକାଭୁକ୍ତ କରାଯାଇ ସେମାନଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଥିଲା। ପୂର୍ବତନ ପିଇଓ ପୂର୍ଣ୍ଣଚନ୍ଦ୍ର ପାତ୍ର ୧୧ ହଜାର ୫ଶହ ଟଙ୍କା ଓ ଶୁକଦେବ ମହାନ୍ତ ୭୪ ହଜାର ୨ଶହ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। ଦୁଇଜଣ ପୂର୍ବତନ ପିଇଓ ଏବଂ ପୂର୍ବତନ ସରପଞ୍ଚ ଶକୁନ୍ତଳା ଦେହୁରୀ ମିଶି ମୋଟ ୩ ଲକ୍ଷ ୬୮ ହଜାର ୯ଶହ ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଥିଲା।

୨୦୧୬ ଜାନୁଆରି ୪ରେ ତତ୍କାଳୀନ ବିଡିଓ ଶ୍ରୀ ପତି ହରିଚନ୍ଦନପୁର ଥାନାରେ ଏନେଇ ପୂର୍ବତନ ପିଇଓ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶୁକଦେବ ମହାନ୍ତ ଏବଂ ପୂର୍ବତନ ସରପଞ୍ଚ ଶକୁନ୍ତଳା ଦେହୁରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଦଫା ୪୬୫, ୪୬୭, ୪୬୮, ୪୭୧, ୪୭୪, ୪୦୯, ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ୧୪ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ସହିତ ୩୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର