ଅଭିଯୁକ୍ତଙ୍କ ବିରୋଧରେ ପୁଣି ଅଫିସିଆଲ ସିକ୍ରେଟ୍‌ ଆକ୍ଟ୍‌ ଚାର୍ଜଫ୍ରେମ୍‌ ଲାଗି ଅନୁମତି

ହନିଟ୍ରାପ୍‌ରୁ କ୍ଷେପଣାସ୍ତ୍ର ଗୁପ୍ତ ତଥ୍ୟ ପ୍ରଘଟ ମାମଲା

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତତଥ୍ୟ ପ୍ରଘଟ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଡିସଚାର୍ଜ ହୋଇଥିବା ଗୁପ୍ତତଥ୍ୟ ସମ୍ପର୍କିତ ଧାରା ଉପରେ ଶୁଣାଣି କରାଯାଇ ପୁନଃ ଚାର୍ଜଫ୍ରେମ ଲାଗି ଅନୁମତି ପ୍ରଦାନ କଆଯାଇଥିବା ଜଣାପଡ଼ିଛି।

୨୦୨୧ ମସିହା ସେପ୍‌ଟେମ୍ବର ମାସରେ ଜଣେ ପ୍ରତିରକ୍ଷା କର୍ମଚାରୀଙ୍କ ସମେତ ୫ ଠିକା କର୍ମଚାରୀଙ୍କୁ ଚାନ୍ଦିପୁର ଥାନା ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତତଥ୍ୟ ପ୍ରଘଟ ସମ୍ପର୍କିତ ଧାରା(୩, ୪ ଓ ୫) ଲାଗିଥିଲା। ହେଲେ ଅଦାଲତରେ ତତ୍‌ ସମ୍ପର୍କିତ କାଗଜପତ୍ର ବା ପ୍ରମାଣ ଦାଖଲ ନିର୍ଦିଷ୍ଟ ସମୟସୀମା ମଧ୍ୟରେ କରାନଯିବାରୁ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଉକ୍ତ ଧାରାଗୁଡ଼ିକୁ ବାଦ୍‌ ଦିଆଯାଇଥିଲା। ଏ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରୀ ଓକିଲ ପ୍ରହ୍ଲାଦ ଚରଣ ପତି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ଲଗାଇବା ନିମନ୍ତେ ଆବଶ୍ୟକ କାଗଜପତ୍ର ‌ସହ ଅଦାଲତରେ ପିଟିସନ ଦାଏର କରିଥିଲେ। ତେବେ ଜିଲ୍ଲା ଅତିରିକ୍ତ ଓ ଦୌରାଜଜ୍‌ଙ୍କ ଅଦାଲତରେ ଉକ୍ତ ମାମଲାର ଶୁଣାଣି କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ବାଦ୍‌ ଦିଆଯାଇଥିବା ଧାରାଗୁଡ଼ିକୁ ପୁଣିଥରେ ଲଗାଇ ଚାର୍ଜଫ୍ରେମ ନିମନ୍ତେ ଅନୁମୋଦନ ଆଦେଶ ଦେଇଥିବା ଶ୍ରୀ ପତି ଜଣାଇଛନ୍ତି।

ସୂଚନା ଥାଉକି, ଏହି ମାମଲାରେ ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ଚାନ୍ଦିପୁର ଆଇଟିଆର୍‌ ପରିସରରେ ଠିକା କର୍ମଚାରୀ ଭାବେ କାମ କରୁଥିବା ବସନ୍ତ ବେହେରା, ହେମନ୍ତ ମିସ୍ତ୍ରି, ତାପସ ରଂଜନ ନାୟକ, ସେକ୍ ମୁସାଫିର ଏବଂ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଇଟିଆରରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ କୁମାରଙ୍କୁ ଦେଶର କ୍ଷେପଣାସ୍ତ୍ର ତଥ୍ୟ ପ୍ରଘଟ ମାମଲାରେ ଗିରଫ କରାଯାଇ କୋର୍ଟଚାଲାଣ କରିଥିଲା ଚାନ୍ଦିପୁର ପୁଲିସ୍।

ସମ୍ବନ୍ଧିତ ଖବର