୧ ଲକ୍ଷ ୮୦ ହଜାର ଭତ୍ତା ଟଙ୍କା ହଡ଼ପ କରି ଛୁ’! ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ କଲେ ବିଡିଓ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୋରଡ଼ା ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ନଦେଇ ନିଜେ ହଡ଼ପ କରି ଫେରାର ହୋଇଥିବା ନିର୍ବାହୀ ଅଧିକାରୀଙ୍କ ନାମରେ ଆଜି ଥାନାରେ ନୂଆଗାଁ ବିଡିଓ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ନିର୍ବାହୀ ଅଧିକାରୀ କୋରଡ଼ା ପଞ୍ଚାୟତର ଭତ୍ତା ନିମନ୍ତେ ଆସିଥିବା ୧ ଲକ୍ଷ ୮୦ ହଜାର ୬୦୦ ଟଙ୍କା ହଡ଼ପ କରି କିଛିଦିନ ହେଲା ନୂଆଗାଁ ବିଡିଓଙ୍କୁ ଧରାଛୁଆଁ ଦେଉ ନଥିବାରୁ ଆଜି ବାଧ୍ୟ ହୋଇ ବିଡିଓ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ନୂଆଗାଁ ବ୍ଲକ୍‌ କୋରଡ଼ା ପଞ୍ଚାୟତରେ ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ବସନ୍ତ କୁମାର ପଣ୍ତା ଗତ ଜୁଲାଇ ମାସରେ ଆସିଥିବା ୩୨୬ ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ହଡ଼ପ କରିଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ହିତାଧିକାରୀମାନେ ଭତ୍ତା ଟଙ୍କା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଶାସନ ନିକଟରେ ଦାଖଲ କରିବା ନେଇ ପ୍ରଶାସନ ପକ୍ଷରୁ ଶ୍ରୀ ପଣ୍ତାଙ୍କୁ ବାରମ୍ବାର ଖବର କରାଯାଉଥିଲେ ମଧ୍ୟ ସେ ଏ ନେଇ କୌଣସି ଉତ୍ତର ଦେଉନାହାନ୍ତି। ଫଳରେ, ସେ ସରକାରଙ୍କ ଟଙ୍କାକୁ ହଡ଼ପ କରିବା ସହ ଲୁଚି ରହି ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମଙ୍କ ଭଳି ଲୋକଙ୍କ ପେଟକୁ ଲାତ ମାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଜଣେ ସରକାରୀ କର୍ମଚାରୀ ହୋଇ ଗରିବ ଲୋକଙ୍କ ପାଇଁ ସ୍ବଚ୍ଛତାର ସହ କାମ କରିବା ନିମନ୍ତେ ସରକାର କର୍ମଚାରୀମାନଙ୍କୁ ଗୁରୁମନ୍ତ୍ର ଦେଉଥିବା ବେଳେ ଏଠାରେ କିନ୍ତୁ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି।

ଶ୍ରୀ ପଣ୍ତା ବର୍ତ୍ତମାନ ନୂଆଗାଁ ବ୍ଲକ‌୍‌ରୁ ଖଣ୍ତପଡ଼ା ବ୍ଲକ୍‌କୁ ବଦଳି ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ହଡ଼ପ କରିବା ପ୍ରଶାସନିକ ଅଧିକାରୀଙ୍କୁ ହରଡ଼ଘଣାରେ ପକାଇଛି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରଚେଷ୍ଟା ପରେ କୌଣସି ସୁଫଳ ନ ପାଇବା ହେତୁ ନୂଆଗାଁ ବିଡିଓ ଆଜି ନୂଆଗାଁ ଥାନାର ଦ୍ବାରସ୍ଥ ହୋଇ ଶ୍ରୀ ପଣ୍ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର