ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗତ କରିଥିବା ୨୦୨୪-୨୫ ବ‌ଜେଟରେ ସାମାଜିକ କଲ୍ୟାଣ ଯୋଜନା ବାବଦ ଭତ୍ତା ବାବଦରେ ୭୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବିଜେପି ନିର୍ବାଚନ ପ୍ରତିଶ୍ରୁତିରେ ଭତ୍ତା ବୃଦ୍ଧି ପାଇଁ କହିଥିଲା। ବଜେଟ୍‌ରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ୮୦ ପ୍ରତିଶତ ଅଧିକ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତିମାନଙ୍କ ଲାଗି ମଧୁବାବୁ ପେନସନ୍‌ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ବରି‌ଷ୍ଠ ନାଗରିକ, ଦିବ୍ୟାଙ୍ଗ, କିନ୍ନର ଓ ଭିକ୍ଷୁକଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକ ସହାୟତାର ଗୁଣବତ୍ତାରେ ଉନ୍ନତି ଆଣିବା ଲାଗି ଜିଲ୍ଲା ସଦର ମହକୁମାରେ ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ ପ୍ରତିଷ୍ଠା ଓ ବୃଦ୍ଧାଶ୍ରମର ରକ୍ଷଣା‌ବେକ୍ଷଣ ପାଇଁ ୧୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତାବ ରଖିଛନ୍ତି। ଏହାବ୍ୟତୀତ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସରକାରୀ ପ୍ରତିଷ୍ଠାନ ଓw ଭିତ୍ତିଭୂମିକୁ ସେମାନଙ୍କ ଯାତାୟତ ଅନୁକୂଳ କରାଇବା ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି।