ଭୁବନେଶ୍ବର: ଦୁଇ ବର୍ଷ ହେଲା ହିତାଧିକାରୀ ସ୍ବର୍ଗବାସ ହେଲେଣି। ହେଲେ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କୁ ଭତ୍ତା ଦେଇ ଚାଲିଛନ୍ତି। ଏଭଳି କେବଳ ମୃତକଙ୍କୁ ଭତ୍ତା ଦେଉ ନାହାନ୍ତି ବରଂ ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଜାଗାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରୁନାହାନ୍ତି। ଫଳରେ ଶହ ଶହ ଯୋଗ୍ୟ ହିତାଧିକାରୀ ଭତ୍ତା ନ ପାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି। ସରକାର ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସୁନ୍ଦର ଯୋଜନା କରିଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କ ଅପାରଗତା ଯୋଗୁ ଯୋଜନା ସଫଳ ହେଉନାହିଁ। ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି। ତୁରନ୍ତ ଏହାର ସମୀକ୍ଷା କରି ଯୋଗ୍ୟ ଲୋକଙ୍କୁ ଚିହ୍ନଟ କରନ୍ତୁ। ଗୋଟିଏ ହେଲେ ଭତ୍ତା ଯେଭଳି ଖାଲି ନପଡ଼ିବ ସେ ନେଇ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ବିଚିତ୍ର ସ୍ଥିତି
ମଧୁବାବୁ ପେନ୍ସନ୍ ଯୋଜନାରେ ୧୨୪୦୫ ଖାଲି, ଜାତୀୟ ନିରାପତ୍ତା ସହାୟତାରେ ୬୬୧୪
ବିଏମ୍ସିରେ ୩୪୧ ଖାଲି, ଯୋଗ୍ୟଙ୍କୁ ଦେଉ ନାହାନ୍ତି
ପ୍ରମୁଖ ସଚିବଙ୍କ ଚିଠି ମୁତାବକ, ଗରିବଙ୍କ ସାମାଜିକ ନିରାପତ୍ତା ପାଇଁ ନଶ୍ଚିତ କରିବା ପାଇଁ ସରକାର ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ନିରାପତ୍ତା ସହାୟତା ପେନ୍ସନ୍ ଭଳି ବ୍ୟବସ୍ଥା କରିଛନ୍ତି। ଏହାକୁ ସୁଗମ କରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନର ଦାୟିତ୍ବ। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଓ ବିଏମ୍ସିରେ ବିଚିତ୍ର ସ୍ଥିତି ଦେଖାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ମଧୁବାବୁ ପେନ୍ସନ୍ ଯୋଜନାରେ ୧୨୪୦୫ ଓ ଜାତୀୟ ନିରାପତ୍ତା ସହାୟତା ପେନ୍ସନ୍ରେ ୬୬୧୪ଟି ଖାଲି ପଡ଼ିଛି। ବଡ଼କଥା ହେଉଛି, ଜାତୀୟ ନିରାପତ୍ତା ସହାୟତା ପେନ୍ସନ୍ ଯୋଜନାରେ ୪୧,୦୪୬ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି(ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଜରିଆରେ ଅର୍ଥରାଶି ପ୍ରଦାନ କରାଯାଇ ପାରୁନାହିଁ। ଏହା କାହିଁକି ହୋଇ ପାରୁନି ତାହାର କାରଣ ମଧ୍ୟ
ଖୋର୍ଦ୍ଧା ଜିଲ୍ଲାପାଳ ସରକାରଙ୍କୁ ଅବଗତ କରିନାହାନ୍ତି କିମ୍ବା ଏହା କିଭଳି ସୁଗମ ହେବ ତାହାର ବ୍ୟବସ୍ଥା କରିନାହାନ୍ତି। ଏଣୁ ଏ ବାବଦରେ ସରକାର ଅନ୍ଧାରରେ ଅଛନ୍ତି। ଗୋଟିଏ ପଟେ ଉଭୟ ଯୋଜନାରେ ଏତେ ଖାଲି ପଡ଼ିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ମଞ୍ଜୁର ହୋଇ ପଡ଼ିରହିଛି। କିନ୍ତୁ କାହାକୁ ଦିଆଯାଉନି। ଯଦିଓ ଖାଲି ହେବା ମାତ୍ରେ ଯୋଗ୍ୟ ହିତାଧିକାରୀଙ୍କୁ ଦେଇ ଦିଆଯିବା କଥା। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସେହିଭଳି ଜାତୀୟ ନିରାପତ୍ତା ସହାୟତା ପେନ୍ସନ୍ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ପୋର୍ଟାଲ୍ରେ ୭୪,୧୩୬ ଜଣ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୭୩,୭୬୧ଙ୍କ ଆକାଉଣ୍ଟକୁ ଅର୍ଥରାଶି ଡିବିଟି ହୋଇପାରୁଛି। ୩୭୫ ହିତାଧିକାରୀଙ୍କ ଖାତାକୁ ଅର୍ଥରାଶି କାହିଁକି ସିଧା ସଳଖ ଯାଇ ପାରୁ ନାହିଁ ସେ ନେଇ ମଧ୍ୟ ସରକାର ଅନ୍ଧାରରେ ଅଛନ୍ତି। ବଡ଼କଥା ହେଉଛି ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କ ନାମ ତାଲିକାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା କଥା ତାହା ହେଉନାହିଁ। ଏଣୁ ବିଡିଓ ଓ ବିଏମ୍ସି କମିସନର ପ୍ରତ୍ୟେକ ମାସରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଅକ୍ଟୋବର ମାସର ସମୀକ୍ଷା ବେଳେ ପ୍ରମୁଖ ସଚିବଙ୍କ ସାମ୍ନାକୁ ଏଭଳି ଚିତ୍ର ଆସିଛି। ବର୍ଷ ସାରା ହିସାବ କଲେ ସ୍ଥିତି ଆହୁରି ଖରାପ ଥିବା ଆଶଙ୍କା କରାଯାଉଛି।
ଏପଟେ ବିଏମ୍ସି ମଧ୍ୟ ତତ୍ପରତା ପ୍ରକାଶ କରିନାହିଁ। ଉଭୟ ଯୋଜନାରେ ବିଏମ୍ସିରେ ୩୪୧ ଖାଲି ପଡ଼ିଛି। ଭତ୍ତା ପାଇବା ପାଇଁ ହଜାରରୁ ଊର୍ଦ୍ଧ୍ବ ଆବେଦନ ବିଏମ୍ସିରେ ଗଦା ହୋଇଛି। ହେଲେ ଅଧିକାରୀମାନେ ତତ୍ପରତା ପ୍ରକାଶ କରିନାହାନ୍ତି। ଏଣୁ ଏହାର ସମୀକ୍ଷା କରି ତୁରନ୍ତ ଯୋଗ୍ୟଙ୍କୁ ପ୍ରଦାନ କରିବା ପାଇଁ ତାଗିଦ୍ କରାଯାଇଛି।