ବୋନ ଟ୍ୟୁମରରେ ଆକ୍ରାନ୍ତ ଆଲୋକ, ହୋଇପାରୁନି ଚିକିତ୍ସା

ଶେରଗଡ଼: ଶେରଗଡ଼ ବ୍ଲକ୍‌ କୁମାରପାଣି ଗ୍ରାମର ବିଚିତ୍ର ପ୍ରଧାନଙ୍କ ୧୯ ବର୍ଷିୟ ପୁଅ ଆଲୋକ ଏକ ବର୍ଷ ହେଲା ବୋନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ଜୀବନ ସହ ସଂଗ୍ରାମ କରୁଛି। ପାଖରେ ଟଙ୍କା ନଥିବାରୁ ଏବେ ପୁଅର ଚିକିତ୍ସା ନକରି ଭାଗ୍ୟକୁ ଆଦରି ରହିଛନ୍ତି। ପୁଅର ଚିକିତ୍ସା ନିମନ୍ତେ ପାଖରେ ଥିବା ସବୁ ଟଙ୍କା ସରିଯିବା ସହ ବାକି କରଜ ହୋଇଗଲାଣି।

ସୂଚନା ପ୍ରକାରେ ଆଲୋକକୁ  ଲକ୍‌ଡାଉନ ସମୟରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। କରୋନା ଯୋଗୁଁ ତାଙ୍କୁ ଫେରାଇ ଦିଆଯାଇଥିଲା।  ଏହାପରେ ଆଲୋକକୁ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା କରି ସର୍ବସ୍ୱାନ୍ତ ହୋଇ ପଡିଛନ୍ତି।  ଗତ ନଭେମ୍ବର ମାସରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଆଲୋକଙ୍କ ଘରକୁ ଯାଇ ହସ୍ପିଟାଲ ଯିବା ପାଇ କେବଳ ଗାଡି ଭଡା ଦେଇଥିଲେ।  ହେଲେ ଆଉ କୌଣସି ସରକାରୀ ସହାୟତା ମିଳି ପାରିନି। ଆଲୋକ ଶେରଗଡ଼ କଲେଜରେ  ଯୁକ୍ତ ତିନି ପଢ଼ୁଥିବା ବେଳେ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବା ସହ ପାଠରେ ମଧ୍ୟ ଡୋରି ବାନ୍ଧିଛନ୍ତ।  ସରକାର ସମସ୍ତ ଗରିବଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ଆଲୋକଙ୍କ ପାଇଁ  ଯୋଜନା ଅପହଞ୍ଚ ହୋଇପଡିଛି।  ପୁଅର ଚିକିତ୍ସା ନିମନ୍ତେ ସହଯୋଗ କରିବାକୁ ଏବେ ବାପା ବିଚିତ୍ର ପ୍ରଧାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର