ଏଣିକି ଟ୍ରେନ୍‌ରେ ମିଳିବ ଆଞ୍ଚଳିକ ଖାଦ୍ୟ

ଭୁବନେଶ୍ବର: ଏଣିକି ଟ୍ରେନ୍‌ରେ ମିଳିବ ଆଞ୍ଚଳିକ ଖାଦ୍ୟ। ଯେଉଁ ଯେଉଁ ରାଜ୍ୟ ଦେଇ ଟ୍ରେନ୍‌ ଅତିକ୍ରମ କରିବ, ଯାତ୍ରୀଙ୍କୁ ସେ ରାଜ୍ୟଗୁଡ଼ିକର ଆଞ୍ଚଳିକ ଖାଦ୍ୟ ଉପଲବ୍ଧ କରାଯିବ। ଉଦାହରଣ ସ୍ବରୂପ, ଟ୍ରେନ୍‌ ଓଡ଼ିଶା ସୀମା ମଧ୍ୟରେ ଥିବା ବେଳେ ସୁସ୍ବା‌ଦ ଓଡ଼ିଆ ଖାଦ୍ୟ, ପଶ୍ଚିମବଙ୍ଗରେ ଥିବା ସମୟରେ ଯାତ୍ରୀଙ୍କୁ ସେଠାକାର ଖାଦ୍ୟ ମିଳିପାରିବ। ଟ୍ରେନ୍‌ କ୍ୟାଟରିଂ ସେବାରେ ଉନ୍ନତି ଆଣିବା ପାଇଁ ଆଇଆର୍‌ସିଟିସି ପକ୍ଷରୁ ଖୁବ୍‌ଶୀଘ୍ର ଏପରି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଏହାଦ୍ବାରା ଆଇଆର୍‌ସିଟିସିର ମେନ୍ୟୁରେ ବହୁ ଆଞ୍ଚଳିକ ଖାଦ୍ୟ ସ୍ଥାନ ପାଇବ ଓ ଯାତ୍ରୀମାନେ ମଧ୍ୟ ଭାରତର ଖାଦ୍ୟ-ବିବିଧତାକୁ ଅନୁଭବ କରିପାରିବେ। ଏହାବ୍ୟତୀତ, ମଧୁମେହ ରୋଗୀ, ଶିଶୁମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଖାଦ୍ୟକୁ ଅନ୍ତର୍ଭୁକ୍ତ କରାଯିବ। କେନ୍ଦ୍ର ସରକାର ମିଲେଟ୍‌ ଆଧାରିତ ଖାଦ୍ୟପଦାର୍ଥ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଥିବାରୁ ତାହାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଆଇଆର୍‌ସିଟିସିର ଯୋଜନା ରହିଥିବା ଜଣାଯାଇଛି। ରେଳ ମନ୍ତ୍ରାଳୟ ନିର୍ଦ୍ଦିଷ୍ଟ କିଛି ସର୍ତ୍ତରେ ଆଇଆର୍‌ସିଟିସିର ଏହି ନୂଆ ମେନ୍ୟୁକୁ ଅନୁମୋଦନ କରିଥିବାରୁ ଖାଦ୍ୟର ଗୁଣବତ୍ତା ଓ ସ୍ବଚ୍ଛତା ବଜାୟ ରହିପାରିବ।

ଯେଉଁ ଟ୍ରେନ୍‌ଗୁଡ଼ିକର ଯାତ୍ରୀ ଭଡ଼ାରେ କ୍ୟାଟରିଂଦେୟ ଅନ୍ତର୍ଭୁକ୍ତ ହୋଇଛି, ସେଥିରେ ଆଇଆରସିଟିସି ଦ୍ୱାରା ଧାର୍ଯ୍ୟ ଶୁଳ୍କ ହିସାବରେ ଖାଦ୍ୟ ପଦାର୍ଥ ପରିବେଷଣ କରାଯିବ। ଏଥିସହ ଯେଉଁ ଗ୍ରାହକମାନେ ନିଜ ଇଚ୍ଛାନୁଯାୟୀ ଖାଦ୍ୟ ଖାଇବାକୁ ଚାହିଁବେ ସେମାନେ ଆ-ଲା-କାର୍ଟ ଭୋଜନ ଓ ବ୍ରାଣ୍ଡେଡ୍‌ ଖାଦ୍ୟ ସାମଗ୍ରୀ ପ୍ରି-ପେଡ୍‌ ଜରିଆରେ ବୁକ୍‌ କରିବା ପାଇଁ ଅନୁମତି ଦିଆଯିବ। ଆ-ଲା-କାର୍ଟ ଭୋଜନର ତାଲିକା ଓ ଶୁଳ୍କ ଆଇଆରସିଟିସି ଦ୍ୱାରା ସ୍ଥିର ହେବ। ଅନ୍ୟାନ୍ୟ ମେଲ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ମେନ୍ୟୁ ବଜେଟ୍ ସେଗ୍‌ମେଣ୍ଟ ଖାଦ୍ୟଗୁଡ଼ିକ ଷ୍ଟାଣ୍ଡାର୍ଡ ଭୋଜନ ପରି ଆଇଆରସିଟିସି ଦ୍ୱାରା ସ୍ଥିର ହୋଇସାରିଛି। ଜନତା ମିଲ୍ସ(ଭୋଜନ)ର ମେନ୍ୟୁର ଶୁଳ୍କ ଅପରିବର୍ତ୍ତିତ ରହିବ। ଏହାବ୍ୟତୀତ ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏମ୍‌ଆରପିରେ ଆ-ଲା-କାର୍ଟ ଭୋଜନ ଓ ବ୍ରାଣ୍ଡେଡ୍‌ ଖାଦ୍ୟ ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯିବ। ମେନ୍ୟୁ ସ୍ଥିର କଲା ବେଳେ ଆଇଆରସିଟିସି ଖାଦ୍ୟ ଓ ସେବାର ଗୁଣବତ୍ତା ସହ ଉତ୍ତମ ମାନଦଣ୍ଡକୁ ସୁନିଶ୍ଚିତ କରିବ। ଯାତ୍ରୀ ଯେପରି କୌଣସି ଖାଦ୍ୟ ପଦାର୍ଥକୁ ନେଇ ଅସନ୍ତୋଷ ପ୍ରକାଶ ନ କରିବେ, ସେଥିପାଇଁ ଖାଦ୍ୟର ପରିମାଣ, ଗୁଣବତ୍ତାରେ କୌଣସି ସାଲିସ୍‌ କରାଯିବ ନାହିଁ। ସେହିପରି ମେନ୍ୟୁ ଶୁଳ୍କ ସହ ଅନୁରୂପ ହେବ। ଯାତ୍ରୀମାନଙ୍କ ସୂଚନା ପାଇଁ ମେନ୍ୟୁଗୁଡ଼ିକ ପୂର୍ବରୁ ସୂଚିତ କରାଯାଇଛି।

ସମ୍ବନ୍ଧିତ ଖବର