ଟେଲି ଯୋଗାଯୋଗର ବିକଳ ଚିତ୍ର: ପାହାଡ଼ ଚଢ଼ିଲେ ଜିଲ୍ଲାପରିଷଦ ସଭାପତି, ଜିଲ୍ଲାପାଳଙ୍କୁ ଫୋନ୍‌ କରିବେ ବୋଲି ନେଟୱର୍କ ଖୋଜିଲେ

ନାରାୟଣପାଟଣା : ଟେଲି ଯୋଗାଯୋଗର ବିକଳ ଚିତ୍ର। ଲୋକଙ୍କ ସମସ୍ୟା ପ୍ରଶାସନକୁ ଜଣାଇବା ପାଇଁ ଗାଁରେ ମିଳିଲା ନାହିଁ ମୋବାଇଲ ନେଟୱର୍କ। ତେଣୁ ବାଧ୍ୟହୋଇ ପାହାଡ଼ ଚଢ଼ିଲେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି। ପାହାଡ଼ ଉପରେ ବହୁ ସମୟ ଧରି ବୁଲିବା ପରେ ନେଟୱର୍କ ମିଳିବାରୁ ଜିଲ୍ଲାପାଳଙ୍କୁ ଜଣାଇଲେ ଲୋକଙ୍କ ଦୁଃଖ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ଏଭଳି ଅଭାବନୀୟ ବାସ୍ତବତା ଆଜି ସାମ୍ନାକୁ ଆସିଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୨ରୁ ବିଜୟୀ ହୋଇଥିଲେ ସସ୍ମିତା ମେଲେକା। ଦୁର୍ଗମ ଅଞ୍ଚଳର ଏହି ଉଚ୍ଚଶିକ୍ଷିତ ଝିଅ ସସ୍ମିତାଙ୍କୁ ଜିଲ୍ଲା ପରିଷଦ ସଭାପତି ଭଳି ବଡ଼ ଦାୟିତ୍ବ ମିଳିଛି। ବିଜୟ ଉତ୍ସବ ନିଜ ଜନ୍ମମାଟିରେ ପାଳନ କରିବାକୁ ଗାଁକୁ ଫେରିଥିଲେ। ନିଜ ପରିବାର ସଂପର୍କୀୟ, ସାଙ୍ଗସାଥୀ ତଥା ବିଜେଡି କର୍ମୀଙ୍କୁ ଭେଟିଥିଲେ। ଶୁଭେଚ୍ଛା ମଧ୍ୟରେ ଜିଲ୍ଲା ପରିଷଦ ସଭାପତିଙ୍କୁ ନିକଟରେ ପାଇ ଲୋକେ ନିଜ ଅଭାବ ତଥା ଅସୁବିଧା ଜଣାଇଥିଲେ। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ସସ୍ମିତା ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ମୋବାଇଲରେ ନେଟୱର୍କ ନଥିଲା। ଦୁଇ ଦିନ ହେଲା ଗାଁରେ ଆଦୌ ନେଟୱର୍କ ନଥିବା ଗ୍ରାମବାସୀ କହିଥିଲେ। ଖୋଳତାଡ଼ କରିବାରୁ ଲକ୍ଷ୍ମୀପୁର-ନାରାୟଣପାଟଣା ରାସ୍ତାରେ କୌଣସି ସ୍ଥାନରେ କେବୁଲ କଟିଯିବାରୁ ଦୁଇ ଦିନ ହେଲା ମୋବାଇଲ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ଜାଣିବାକୁ ପାଇଲେ।

ନିଜ ପୈତୃକ ଗାଁରେ ଏମିତି ଅବସ୍ଥା ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ବିବ୍ରତ କରିଥିଲା। ଆଉ ବିଳମ୍ବ ନ କରି ମୋବାଇଲ ନେଟୱର୍କ ଖୋଜିବା ଆରମ୍ଭ କଲେ। ଗାଁ ଠାରୁ ଅଳ୍ପଦୂରରେ ଥିବା ପାହାଡ଼ରେ କାଳେ ନେଟୱର୍କ ରହୁଥିବା ଶୁଣିବାରୁ ପାହାଡ଼ ଅଭିମୁଖେ ବାହାରିଥିଲେ। ପ୍ରାୟ ୩ କିଲୋମିଟର ରାସ୍ତା ନିଜ ଗାଡ଼ିରେ ଅତିକ୍ରମ କରି ପାହାଡ଼ ପାଖରେ ପହଞ୍ଚିଥିଲେ। ଏହାପରେ ଉଚ୍ଚ ପାହାଡ଼ ଚଢ଼ି ନେଟୱର୍କ ଖୋଜିଥିଲେ। ବହୁକଷ୍ଟରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ମିଳିଥିଲା। ଜିଲ୍ଲାପାଳଙ୍କୁ ସିଧାସଳଖ ଫୋନ୍‌ କରିଥିଲେ ହେଁ ପ୍ରଥମେ ରିଙ୍ଗ୍‌ ହୋଇ କଟି ଯାଇଥିଲା। ପରବର୍ତ୍ତୀ ସମୟରେ ଫୋନ୍‌ରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଏହି ଅଞ୍ଚଳର ପ୍ରମୁଖ ସମସ୍ୟା ସଂପର୍କରେ ପ୍ରକାଶ କରି ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର