ଅସ୍ୱାଭାବିକ ଜଳବାୟୁ ପରିବର୍ତନ : ବାରମ୍ବାର ବାତ୍ୟା ମୁହଁରେ ଭାରତ

ଏ ବର୍ଷ ଆରବ ସାଗ‌ରରେ ୫, ବଙ୍ଗୋପସାଗରରେ ୩ ହେଲାଣି, ଆକଳନର ଯଥେଷ୍ଟ ଆଗରୁ ୧.୫ ଡିଗ୍ରି ବଢ଼ିବ ବିଶ୍ବ ତାପମାତ୍ରା

ଭୁବନେଶ୍ବର : ଗୋଟିଏ ପରେ ଗୋଟିଏ ବାତ୍ୟା ଭାରତ ଉପକୂଳରେ ସୃଷ୍ଟି ହେଉଛି। କେତେବେଳେ ବଙ୍ଗୋପସାଗର ତ ଆଉ କେତେବେଳେ ଆରବ ସାଗରରେ। ଏବେ ବାତ୍ୟା ପ୍ରତି ମାସରେ ଯେମିତି ନିୟମିତ ହୋଇଗଲାଣି। ଆଶ୍ଚର୍ଯ୍ୟଜନକ ଭାବେ ଜଳବାୟୁ ପରିବର୍ତନ ହେଉଥିବାରୁ ଆରବ ସାଗରରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ବାତ୍ୟା ଓ ଅବପାତ ସୃଷ୍ଟି ହୋଇଥିବା ଦେଖିବାକୁ ‌ମିଳିଛି। ଏହାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିବା ବେଳେ ଜା‌ତିସଂଘ ତରଫରୁ ୨୫ତମ ଜଳବା‌ୟୁ ପରିବର୍ତନ ସମ୍ମିଳନୀରେ ବି ଆଲୋଚନା କରାଯାଉଛି।

ସବୁଠାରୁ ବଡ଼ କଥା ହେଲା ଯେ ଚଳିତବର୍ଷ ଆରବ ସାଗରରେ ୪ଟି ବାତ୍ୟା ଯଥା ‘ବାୟୁ’, ‘ହିକ୍କା, ‘କେୟା’ ଓ ‘ମହା’ ସୃଷ୍ଟି ହୋଇଥିଲା। ଆଉ ବଙ୍ଗୋପସାଗରରେ ‘ପାବକ୍‌’, ‘ଫନି’ ଓ ‘ବୁଲୁବୁଲ୍‌’ ସୃଷ୍ଟି ‌ହୋଇସାରିଛି। ଏବେ ପୁଣି ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ବାତ୍ୟାରେ ପରିଣତ ହୋଇଛି। ଯାହାର ନାମ ‘ପବନ’ ରଖାଯାଇଛି। ପୁଣି କେନ୍ଦ୍ରୀୟ ଆରବ ସାଗରରେ ଆଉ ଏକ ଅବପାତ ରହିଛି। ତାହା ବି ବାତ୍ୟା ରୂପ ନେବାର ଆଶଙ୍କା ରହିଛି। ଏମିତି ଏକାଥରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବା ବିରଳ ଘଟଣା।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତମାନ ଡିସେମ୍ବର ମାସ ଚାଲିଥିବାରୁ ଉତ୍ତରା ଥଣ୍ଡା ପବନ ଭାରତକୁ ‌ଶୀତ ଆଣିଥାଏ। ବାୟୁମଣ୍ଡଳ ସହ ସମୁଦ୍ର ତାପମାତ୍ରା କମ୍‌ ଥାଏ। ତେଣୁ ଏହି ସମୟରେ ବଙ୍ଗୋପସାଗରରେ କେବେକେବେ ବାତ୍ୟା ହୋଇଥାଏ। ହେଲେ ଆରବ ସାଗରରେ ବାତ୍ୟା ହେବା ଅସ୍ବାଭାବିକ। ଦକ୍ଷିଣ ଆରବ ସାଗରରେ ହୋଇଥିବା ବାତ୍ୟା ‘ପବନ’ ଆଜି ସୋମାଲିଆର ବୋସାସୋ ସହରର ପ୍ରାୟ ୫୩୦ କିମି ପୂର୍ବ, ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା। ଏହା ଆସନ୍ତାକାଲି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଏହା ଭାରତର ପଶ୍ଚିମ ଉପକୂଳକୁ ନ ଆସି ୭ ତାରିଖ ସକାଳେ ସୋମାଲିଆ ଉପକୂଳ ଅତିକ୍ରମ କରିବ। ସେହିପରି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଥିବା ଅବପାତ ଶୁକ୍ରବାର ସକାଳେ ମୁମ୍ବାଇଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମରେ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥାପିତ ଥିଲା। ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍‌ ରହିଛି। ଯଦି ବାତ୍ୟାରେ ପରିଣତ ହୁଏ ତେବେ ଏହାର ନାମ ‘ଏମ୍ଫାନ’ ରହିବ। ନ ହେଲେ ସମୁଦ୍ର ଭିତରେ ଏହା ଦୁର୍ବଳ ହୋଇଯିବ।

‘ପବନ’ ଓ ଅବପାତ ପଶ୍ଚିମ ଉପକୂଳ ସ୍ପର୍ଶ କରିବ ନାହିଁ ସତ। କିନ୍ତୁ ଏହା ଯୋଗୁଁ ଏବେ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ରାଜ୍ୟରେ ପାଗ ମେଘୁଆ, କୋହଲା ଓ ବର୍ଷା ହେଉଛି। ବ୍ୟାପକ ଫସଲ ହାନି ସହ ସାଧାରଣ ଜୀବନଯାତ୍ରାରେ ଅସୁବିଧା ସୃଷ୍ଟି କରିଛି। ଅଧିକ ତାପର୍ଯ୍ୟ ହେଲା ଏହି ଦୁଇଟି ଯାକ ସିଷ୍ଟମ ଡିସେମ୍ବରରେ ଆରବ ସାଗରରେ ସୃଷ୍ଟି ହେବା ସ୍ବାଭାବିକ ନୁହେଁ। ଆଗରୁ ‘କ୍ୟାର୍‌’ ଓ ‘ମହା’ ନାମକ ଦୁଇଟି ବାତ୍ୟା ଅଆରବ ସାଗରରେ ଏକା ସମୟରେ ସୃଷ୍ଟି ହୋଇଥିଲା। ପଶ୍ଚିମ ଉପକୂଳରେ ବହୁତ କ୍ଷତି କରିଥିଲା।
ବଙ୍ଗୋପସାଗର ଅପେକ୍ଷା ଆରବ ସାଗରରେ କମ୍‌ ଥର ବାତ୍ୟା ହୋଇଥାଏ। ସେଠାରେ ବାର୍ଷିକ ହାରାହାରି ୧.୭ ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍ସ ହେଉଥିବା ବେଳେ ସେଥିରୁ ମାତ୍ର ଗୋଟିଏ ବାତ୍ୟାରେ ପରିଣତ ହୁଏ। ତେବେ ଚଳିତବର୍ଷ ଏ ପର୍ଯ୍ୟନ୍ତ ସମୁଦା‌ୟ ୭ଟି ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍ସ ସୃଷ୍ଟି ହୋଇଛି। ସେଥିରୁ ୫ଟି ବାତ୍ୟାରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଦକ୍ଷିଣ ଆରବ ସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଭାରତର ପୂର୍ବ ଭିଏତନାମ ଓ ଫିଲିପାଇନ୍ସ ମଝିରେ ଦକ୍ଷିଣ ଚୀନ୍‌ ସାଗରରେ ‘କାମୁରି’ ନାମକ ଆଉ ଏକ ବାତ୍ୟା ହୋଇଥିଲା। ଯାହାକି ଦୁର୍ବଳ ହୋଇଯାଇଛି।

ଏ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ଅସ୍ବାଭାବିକ ବାତ୍ୟା ସହ କେତେକ କାରଣ ସଂଶ୍ଳିଷ୍ଟ କରାଯାଇପାରେ। ପ୍ରଥମତଃ ଆରବ ସାଗରରେ ବର୍ତମାନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଦକ୍ଷିଣ ଆରବ ସାଗରରେ ୩୦ ଡିଗ୍ରି ଥିବା ବେଳେ କେନ୍ଦ୍ରୀୟ ଆରବ ସାଗରରେ ୨୯ ଡିଗ୍ରି ରହିଛି। ସମୁଦ୍ର ପତ୍ତନ ତାପମାତ୍ରା ୨୬ ଡିଗ୍ରିରୁ ଅଧିକ ରହିଲେ ଏହା ଲଘୁଚାପ ପାଇଁ ଅନୁକୂଳ ହୋଇଥାଏ। ଯାହାକି ପରବର୍ତୀ ସମୟରେ ବାତ୍ୟାରେ ପରିଣତ ହୁଏ। ଦ୍ବିତୀୟ କାରଣ ହେଉଛି ଯେ ଭାରତ ମହାସାଗର ଦ୍ବିଧ୍ରୂବୀୟ(ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ୍‌ ବା ଆଇଓଡି) ସିଷ୍ଟମ। ଏହାକୁ ଭାରତୀୟ ଅଞ୍ଚଳର ଏଲ୍‌-ନିନୋ ବା ଇଣ୍ଡିଆନ୍‌ ନିନୋ କୁହାଯାଏ। ଏହାର କାରଣ ହେଉଛି ଭାରତ ମହାସାଗରର ପୂର୍ବ ଓ ପଶ୍ଚିମରେ ତାପମାତ୍ରା ପ୍ରଭେଦ। ଯେତେବେଳେ ଏଲ୍‌-ନିନୋ ଦୁର୍ବଳ ହୁଏ, ଆଇଓଡି ଶକ୍ତିଶାଳୀ ହୋଇଥାଏ। ଚଳିତବର୍ଷ ଏହା ହିଁ ହୋଇଛି। ତୃତୀୟରେ ପୂର୍ବ ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ମଧ୍ୟରେ ତାପମାତ୍ରା ଓ ବାୟୁର ଚାପର ପ୍ରଭେଦ କାରଣରୁ ଏଭଳି ହେଉଛି। ଉତ୍ତର ଗୋଲାର୍ଦ୍ଧର ଶୀତ ଦିନରେ(ଡିସେମ୍ବରଠାରୁ ଫେବ୍ରୁଆରି) ପୂର୍ବ ପ୍ରଶାନ୍ତ ମହାସାଗର ଅଧିକ ଗରମ ଥିଲେ ପୂର୍ବା ପବନ ବହିଥାଏ। ଚଳିତବର୍ଷ ପୂର୍ବ ପ୍ରଶାନ୍ତ ମହାସାଗର ଅକ୍ଟୋବର ମାସଠାରୁ ଅଧିକ ଗରମ ରହୁଛି। ଫଳରେ ଭାରତର ପୂର୍ବ ଉପକୂଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପରେ ଓଡ଼ିଶା ସମେତ ଭାରତର ପୂର୍ବ ଉପକୂଳକୁ ପ୍ରାୟତଃ ପୂର୍ବା ପବନ ବହୁଛି। ଓଡ଼ିଶାରେ ବିଳମ୍ବିତ ଓ କମ୍ ଶୀତ ହେବାର ଏହା ମଧ୍ୟ କାରଣ ବୋଲି କୁହାଯାଉଛି।

ଜଳବାୟୁ ପରିବର୍ତନ ଯୋଗୁଁ ଅସ୍ବାଭାବିକ ବାତ୍ୟା ହେଉଛି। ଜା‌ତିସଂଘ ତରଫରୁ ସ୍ପେନ୍‌ର ମାଦ୍ରିଦ୍‌ ସହରରେ ୧୩ ତାରିଖ ଯାଏ ଚାଲିବାକୁ ଥିବା ୨୫ ତମ ଜଳବା‌ୟୁ ପରିବର୍ତନ ସମ୍ମିଳନୀରେ ଏହା ଉପରେ ଆଲୋଚନା ହୋଇଛି। ୧୯୭ଟି ଦେଶ ଯୋଗଦେଇ ଦ୍ରୁତ ଜଳବାୟୁ ପରିବର୍ତନ ପାଇଁ ଏଠାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବଶ୍ୟକ ‌ପଦ‌କ୍ଷେପ ନେଲେ ମଧ୍ୟ ଆକଳନର ଯଥେଷ୍ଟ ଆଗରୁ ୧.୫ ଡିଗ୍ରି ତାପମାତ୍ରା ଅଧିକ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର