‘ସମ୍ବାଦ’ ଡିଜିଟାଲ୍‌ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଅଗ୍ରଯୋଦ୍ଧୀ-୨୦୨୨’ : ‘ସବୁବେଳେ ସତ୍ୟର ଅନୁଗାମୀ ହୁଅ’

ପଶ୍ଚିମ ଓଡ଼ିଶାର ସିବିଏସ୍‌ଇ ଦଶମ ଟପର୍‌ ଛାତ୍ରଛାତ୍ରୀ ସମ୍ବର୍ଧିତ

ସମ୍ବଲପୁର: ନିଜ ଧାରଣା ବା ଚିନ୍ତାଧାରା ଓ ବାସ୍ତବତା ମଧ୍ୟରେ ଥିବା ଦ୍ବନ୍ଦ୍ବର ଊର୍ଦ୍ଧ୍ବକୁ ଯାଇ ସବୁବେଳେ ସତ୍ୟକୁ ଚୟନ କର ଏବଂ ସତ୍ୟ ପଥର ପଥିକ ହୁଅ। ଜୀବନରେ ଯାହା ବି କର, କିନ୍ତୁ ଭଲ ମଣିଷଟିଏ ନିଶ୍ଚୟ ହୁଅ ବୋଲି ପଶ୍ଚିମ ଓଡ଼ିଶା ସିବିଏସ୍‌ଇ ଦଶମ ଟପ୍ପର୍ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପରାମର୍ଶ ଦେଇଛନ୍ତି। ‘ସମ୍ବାଦ ଡିଜିଟାଲ୍’ର ପ୍ରୟାସରେ ବୈଦିକ ଇଣ୍ଟର୍‌ନେସନାଲ୍ ସ୍କୁଲ୍‌ଠାରେ ଆୟୋଜିତ ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ‘ଅଗ୍ରଯୋଦ୍ଧୀ-୨୦୨୨’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ଏଭଳି କାର୍ଯ୍ୟକ୍ରମ ଜୀବନରେ ଆଗକୁ ବଢ଼ିବା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସିବିଏସ୍‌ଇ ଦଶମ ପରୀକ୍ଷାରେ ୯୫% ବା ଅଧିକ ନମ୍ବର ରଖି ନିଜ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଲାଭ କରିଥିବା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୯୧ ଛାତ୍ରଛାତ୍ରୀଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା। ଏହାଛଡ଼ା ସେମାନଙ୍କ ଶିକ୍ଷକମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଦ୍ୟାର୍ଥୀମାନଙ୍କୁ କହିଲେ, ମାଟ୍ରିକ୍ ପରୀକ୍ଷାରେ ଅଧିକ ନମ୍ବର ରଖିଥିବାରୁ ଅନେକଙ୍କ ମନରେ ଅହଂଭାବ ସୃଷ୍ଟି ହୋଇଥିବା ସ୍ବାଭାବିକ। କିନ୍ତୁ ଏହି ଅହଂକାର ନିଜର ହିଁ କ୍ଷତି କରିଥାଏ। ତେଣୁ ଏହାକୁ ନିଜ ମନରୁ ଦୂର କରିବା ଜରୁରୀ। ଏଥି ପାଇଁ ଆମେ ମନରେ କୃତଜ୍ଞ ଭାବ ଆଣିବା ଆବଶ୍ୟକ। ଆମେ କେହି ଭଗବାନକୁ ସ୍ବଚକ୍ଷୁରେ ଦେଖି ନାହୁଁ। କିନ୍ତୁ ଭଗବାନ ସବୁବେଳେ ଆମ ପାଖରେ ସଶରୀରେ ରହିଛନ୍ତି। ଆମ ପିତାମାତା ହେଉଛନ୍ତି ଆମର ଈଶ୍ବର। ତେଣୁ ଜୀବନରେ ଯେତେ ‌ପ୍ରତିଷ୍ଠିତ ହେଲେ ବି ନିଜ ପିତାମାତାଙ୍କ ସେବା କର, ସେମାନଙ୍କ ପ୍ରତି କୃତଜ୍ଞ ରୁହ ବୋଲି ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପିଲାଙ୍କ ଉପରେ ଡାକ୍ତର ବା ଇଂଜିନିୟର୍‌ ହେବାର ଚାପକୁ ଲଦି ନଦେଇ ସେମାନଙ୍କୁ ତାଙ୍କ ପ୍ରବୃତ୍ତି ଅନୁଯାୟୀ ବୃତ୍ତି ଚୟନ କରିବାର ସୁଯୋଗ ଦେବାକୁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ଯେଉଁ ଭାଷା କହିଲେ ବି, ଯେଉଁ ସ୍ଥାନରେ ରହିଲେ ବି ନିଜ ମାତୃଭାଷା ଓ ନିଜ ମାତୃଭୂମି ପ୍ରତି ଆନୁଗତ୍ୟ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୋଗ ଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ବର୍ତ୍ତମାନର ନୂଆ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ। ପିଲାମାନେ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଦରକାର। ଜୀବନରେ ସଫଳତା ଲାଭ କରିବା ପାଇଁ ନିଷ୍ଠା ଓ ପରିଶ୍ରମ ବ୍ୟତୀତ ଆତ୍ମସଂଯମ ହେବା ଜରୁରୀ। କାରଣ ନିଜ ଉପରେ ନିୟନ୍ତ୍ରଣ ନ ରହିଲେ ତାହା ଆତ୍ମଘାତୀ ସାବ୍ୟସ୍ତ ହୋଇଥାଏ। ନିଜ ଚିନ୍ତାଧାରାକୁ ଉନ୍ମୁକ୍ତ ରଖି ଆଗକୁ ବଢ଼ିବା ପାଇଁ ସେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୈଦିକ ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ୍‌ ସଫଳତା ପାଇବା ଅପେକ୍ଷା ଏହାକୁ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଏଥି ପାଇଁ ପୁରୁଣା ଶୈଳୀକୁ ପଛରେ ଛାଡ଼ି ନୂଆ ଶୈଳୀରେ, ନୂଆ ଢାଞ୍ଚାରେ ଅଧ୍ୟୟନ ଓ ପ୍ରସ୍ତୁତି କରିବା ଦରକାର ବୋଲି ମତ‌ ଦେଇଥିଲେ। ସମ୍ବାଦ ଡିଜିିଟାଲ୍‌ ଓ ରେଡିଓ ଚକୋଲେଟ୍‌ର ମୁଖ୍ୟ ଲିଂଗରାଜ ଲେଙ୍କା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦଶମରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଯେମିତି +୨ରେ ସଫଳ ହୋଇ ପୁଣି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହେବେ ସେଥି ପାଇଁ ଏବେଠୁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ‘ସମ୍ବାଦ ଡିଜିଟାଲ୍‌’ର ଉପମହାପ୍ରବନ୍ଧକ ସୁଶାନ୍ତ ମହାପାତ୍ର ପରିଚାଳନା କରିଥିଲାବେଳେ ବୈଦିକ୍ ଇଣ୍ଟର୍‌ନେସନାଲ୍ ସ୍କୁଲ୍ ଅଧ୍ୟକ୍ଷ ପାର୍ଥ ମୁଖାର୍ଜୀ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ ଡିଜିଟାଲ୍’ ପଶ୍ଚିମ ଓଡ଼ିଶା କ୍ଲଷ୍ଟର୍‌ ମୁଖ୍ୟ ଲଲାଟେନ୍ଦୁ ସ୍ବାଇଁ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବୈଦିକ ଇଣ୍ଟର୍‌ନେସନାଲ୍ ସ୍କୁଲ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲାବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର